Site icon ଆଜିକାଲି

ମୁକ୍ତା କାର୍ଯ୍ୟକ୍ରମ : ରାଜ୍ୟସ୍ତରୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ମିଶନଶକ୍ତି ଗୋଷ୍ଠୀର ସଶକ୍ତିକରଣ

ଭୁବନେଶ୍ୱର – ଭୁବନେଶ୍ୱରର ବୈଶାଖୀ ମହାସଂଘର ଲକ୍ଷ୍ମୀପ୍ରିୟା ରାଉତ କୁହନ୍ତି, “ଆମର ମହାସଂଘ କାର୍ଯ୍ୟ ସମ୍ପାଦନ ଏଜେନ୍ସି ଭାବରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ୍ (ବିଏମସି) ଠାରୁ ୱାର୍କ ଅର୍ଡର ଗ୍ରହଣ କରି ମୁକ୍ତା ଯୋଜନା ଅଧୀନରେ ପାର୍କ ନିର୍ମାଣ କରିଛି | ବର୍ତ୍ତମାନ ଆମେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛୁ |

“ଆମେ ସମସ୍ତେ ଜାଣୁ ଯେପରି ଆମେ ଏହି ଅଞ୍ଚଳକୁ ସଫା କରିଥିଲୁ, ଯାହା ଚାରିଆଡ଼େ ବୁଦା ସହିତ ଏକ ଅପହଞ୍ଚ, ପରିତ୍ୟକ୍ତ ସ୍ଥାନ ଥିଲା | ବିଏମସି ଇଞ୍ଜିନିୟରଙ୍କ ସହଯୋଗରେ ଆମେ ପାର୍କର ଲେଆଉଟ୍ ଡିଜାଇନ୍, ନିର୍ମାଣ ନିମନ୍ତେ କଣ କଣ ସାମଗ୍ରୀ ଆବଶ୍ୟକ, କେତେ ପରିମାଣର ନିର୍ମାଣ ସାମଗ୍ରୀ ଆବଶ୍ୟକ ଏବଂ ଗୁଣବତ୍ତା ଚିହ୍ନଟ ଏବଂ କେତେ ଶ୍ରମିକ ନିୟୋଜିତ ହେବେ ସେ ବିଷୟରେ ଜାଣିବାକୁ ପାଇଲୁ |

ପ୍ରାରମ୍ଭରେ, ଏହା ବୁଝିବା କଷ୍ଟକର ଥିଲା, କିନ୍ତୁ ଆମେ ଆରମ୍ଭ କଲୁ ଏବଂ ଧୀରେ ଧୀରେ ଆମେ ସମଗ୍ର ନିର୍ମାଣ କାର୍ଯ୍ୟ ଏବଂ ତଦାରଖ କାର୍ଯ୍ୟର ଦାୟିତ୍ୱ ନେଇ ଏହାକୁ ସୁଚାରୁ ରୂପେ ସମ୍ପାଦନ କରିପାରିଲୁ | ସେ ଆହୁରି ମଧ୍ୟ କୁହନ୍ତି ,ଯେତେବେଳେ ଆମେ ଏହି ପାର୍କର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କଲୁ ଏବଂ ଲୋକମାନେ ଯଥା ଶିଶୁରୁ ବୃଦ୍ଧମାନେ ଏହାକୁ ପ୍ରତିଦିନ ବ୍ୟବହାର କରିବାର ଦେଖୁଛୁ । ଏହା ଆମକୁ ଅତ୍ୟନ୍ତ ଆନନ୍ଦ ପ୍ରଦାନ କରୁଛି |

ପ୍ରକାଶ ଥାଉକି କୋଭିଡ-୧୯ ମହାମାରୀ ସମୟରେ ଓଡିଶାର ସହରାଞ୍ଚଳରେ ବସବାସ କରୁଥିବା ସହସ୍ରାଧିକ ଗରିବ, ଅଣକୁଶଳୀ ଶ୍ରମିକ,ଅସୁରକ୍ଷିତ ବର୍ଗର ଲୋକମାନେ ତଥା ପ୍ରବାସୀ ଶ୍ରମିକ,ମହିଳା,କିନ୍ନର ,ଭିନ୍ନକ୍ଷମ ବ୍ୟକ୍ତି ନିଜର ଜୀବିକା ହରାଇ ଗଭୀର ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏହି ପ୍ରତିକୂଳ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଏପ୍ରିଲ, ୨୦୨୦ରେ “ସହରାଞ୍ଚଳ ମଜୁରୀ ଭିତ୍ତିକ ନିୟୋଜନ ” ନାମରେ ଏକ ଯୁଗାନ୍ତକାରୀ ପଦକ୍ଷେପର ଶୁଭାରମ୍ଭ କରିଥିଲେ ଯାହାର ଲକ୍ଷ୍ୟ ଥିଲା ସହରୀ ଗରିବ,ଅଣକୁଶଳୀ ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ତ୍ୱରିତ ଏବଂ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ।

ଏହି ପଦକ୍ଷେପର ସଫଳତାକୁ ଭିତ୍ତିକରି ଏବଂ ତୃଣମୂଳ ସ୍ତରରୁ ଉତ୍ସାର ସହ ବିପୁଳ ସଫଳତା ହାସଲ କରି ଏହା ଫେବୃୟାରୀ ୨୦୨୧ ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା “ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ” (ମୁକ୍ତା) ନାମରେ ଏକ ପୂର୍ଣ୍ଣାଙ୍ଗ ଯୋଜନାରେ ପରିଣତ ହୋଇଛି ।ଏହା ଓଡିଶା ସରକାରଙ୍କ ଏକ ଫ୍ଲାଗସିପ ବା ଉତ୍କର୍ଷ କାର୍ଯ୍ୟକ୍ରମ । ଏହି ଲୋକକେନ୍ଦ୍ରୀକ ଯୋଜନା ଗୋଷ୍ଠୀର,ଗୋଷ୍ଠୀ ନିମନ୍ତେ ଏବଂ ଗୋଷ୍ଠୀ ଦ୍ୱାରା ପରିଚାଳିତ ।

ବୈଶାଖୀ ମହାସଂଘ ପରି ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ଅଧୀନରେ ୨୨୫୦୦ ରୁ ଅଧିକ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀକୁ ୱାର୍କ ଅର୍ଡର ପ୍ରଦାନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ଅନ୍ତର୍ଗତ ୫୨୫୦୦ ଗୋଟି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ୭୬ ଲକ୍ଷ ବ୍ୟକ୍ତି-ଶ୍ରମ ଦିବସ ସୃଷ୍ଟି ହୋଇପାରିଛି |

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମିଶନ୍ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀକୁ ମୁକ୍ତା ଯୋଜନାର ସଫଳ କାର୍ଯ୍ୟକାରିତା ତଥା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଉପରେ ଉତ୍ତମ ଜ୍ଞାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜାନୁଆରୀ ୨୦୨୪ ରୁ ଏକ ରାଜ୍ଯସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି |

ପ୍ରଥମ ପର୍ଯ୍ଯାୟରେ ରାଜ୍ୟର ୧୧୫ ଟି ପୌରସଂସ୍ଥାକୁ ୧୨ ଗୋଟି କ୍ଲଷ୍ଟରରେ ବିଭକ୍ତ କରି ଏକ ବିସ୍ତୃତ ତାଲିମ କାର୍ଯ୍ୟକ୍ରମ ମାଧ୍ୟମର ପ୍ରାୟ ୮୦୦ ମାଷ୍ଟର ଟ୍ରେନର ସୃଷ୍ଟି କରାଯାଇଛି | ଅତୀତରେ ମୁକ୍ତା ପ୍ରକଳ୍ପକୁ ସଫଳତାର ସହ କାର୍ଯ୍ୟକାରୀ କରିଥିବା ମିଶନଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କ ମଧ୍ୟରୁ ମାଷ୍ଟର ଟ୍ରେନରମାନଙ୍କୁ ଚୟନ କରାଯାଇଥିଲା |

ଗୃହ ଓ ନଗରଉନ୍ନୟନ ବିଭାଗର ନଲେଜ୍ ପାର୍ଟନର୍ ଭାବରେ ୟୁ.ଏମ୍.ସି ଦ୍ୱାରା ମିଶନଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ଆବଶ୍ୟକତାକୁ ଆଧାର କରି ଏକ ପ୍ରଶିକ୍ଷଣ ମଡ୍ୟୁଲ୍ ସ୍ୱତନ୍ତ୍ର ଭାବରେ ଡିଜାଇନ୍ ଏବଂ ବିକଶିତ କରାଯାଇ ମୁକ୍ତାର କାର୍ଯ୍ୟକାରିତା, ଡକ୍ୟୁମେଣ୍ଟେସନ୍, ଡିଜିଟାଲ୍ ସାକ୍ଷରତା ଏବଂ ଯୋଗାଯୋଗ ଦକ୍ଷତା ଉପରେ ସେମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ତାଲିମ ପ୍ରଦାନ କରାଯାଇଛି |
ଏହି ପ୍ରଶିକ୍ଷଣ ମଡ୍ୟୁଲରେ ତାଲିମଦାତ୍ରୀମାନଙ୍କୁ ଗାଇଡ୍ କରିବା ନିମନ୍ତେ ବିସ୍ତୃତ ଟ୍ରେନର୍ସ ଗାଇଡ ବ୍ୟବସ୍ଥା ରହିଛି ଯାହା ମାଷ୍ଟର ଟ୍ରେନରମାନଙ୍କୁ ବୈଷୟିକ ବିଷୟକୁ ବୁଝିବାରେ ସାହାଯ୍ୟ କରିବା ସହ ସମଗ୍ର ରାଜ୍ୟରେ ମୁକ୍ତା ପ୍ରକଳ୍ପ ଗୁଡିକୁ କାର୍ଯ୍ୟକାରୀ କରୁଥିବା ପ୍ରଶିକ୍ଷାର୍ଥୀ ମିଶନ୍ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀକୁ ସଠିକ୍ ଏବଂ ସମ୍ପୂର୍ଣ୍ଣ ବାର୍ତ୍ତା ପ୍ରଦାନରେ ସହାୟକ ହେବ |

ମିଶନ୍ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ତାଲିମ ମାଷ୍ଟର ଟ୍ରେନର୍ ମାନଙ୍କ ଦ୍ୱାରା ୱାର୍ଡ ସ୍ତରରେ ଆୟୋଜନ କରାଯାଉଛି । ପ୍ରତ୍ୟେକ ବ୍ୟାଚରେ ୩୦ ଜଣ ସଦସ୍ୟା ଅଂଶଗ୍ରହଣ କରିଥାନ୍ତି । ମୋଟ ୨୦୫୫ ୱାର୍ଡ ସ୍ତରୀୟ ତାଲିମ ଶିବିର ଆସନ୍ତା ମାର୍ଚ୍ଚ ମାସ ମଧ୍ୟରେ ଆୟୋଜନ କରାଯିବାର ଲକ୍ଷ୍ୟ ରଖାଯାଇଅଛି ।

“ପ୍ରଥମ ପର୍ଯ୍ୟାୟରେ ବର୍ତ୍ତମାନ ସୁଦ୍ଧା ୧୭୦୦ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମାପ୍ତ ହୋଇସାରିଛି ଏବଂ ମାଷ୍ଟର ଟ୍ରେନରଙ୍କ ଦ୍ୱାରା ୩୫୦୦୦ ରୁ ଅଧିକ ମିଶନ୍ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀସଦସ୍ୟା ତାଲିମପ୍ରାପ୍ତ ହୋଇସାରିଛନ୍ତି । ପ୍ରକୃତ କ୍ଷେତ୍ରରେ ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମିଶନ୍ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀକୁ ସଶକ୍ତ କରୁଛି | ପ୍ରତ୍ୟେକ ଗୋଷ୍ଠୀର ଅତିକମ୍ ରେ ତିନିଜଣ ସଦସ୍ୟାଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ତାଲିମ ପ୍ରଦାନ କରାଯାଇ ସଶକ୍ତ କରାଯିବ, ଯାହାଫଳରେ ପ୍ରାୟ ୬୭,୫୦୦ ମିଶନ୍ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ଲିଡରଙ୍କୁ ନେଇ ଏକ ଆର୍ମି ସୃଷ୍ଟି ହେବ ଯେଉଁମାନେ ମୁକ୍ତାର କାର୍ଯ୍ୟକାରିତାକୁ “ସମୟ ଏବଂ ଗତିର” ସମନ୍ବୟ ଅନୁପାଳନ କରି କାର୍ଯ୍ୟକ୍ରମକୁ ଦକ୍ଷତାର ସହ ପରିଚାଳନା କରିପାରିବେ l

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ଶାସନ ସଚିବ ତଥା ନୋଡାଲ୍ ଅଫିସର ମୁକ୍ତା ସାରଦା ପ୍ରସାଦ ପଣ୍ଡା ରାଜ୍ୟର ଏକାଧିକ ୱାର୍ଡରେ ଚାଲୁଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଉଥିବା ମିଶନ ଶକ୍ତି ଗୋଷ୍ଠୀ ସଦସ୍ୟାମାନଙ୍କ ସହ ଭରଚୁଆଲ୍ ପ୍ଲାଟଫର୍ମ ମାଧ୍ୟମରେ ଯୋଡି ହୋଇ ଆଲୋଚନା କରୁଛନ୍ତି । ବରିଷ୍ଠ ଅଧିକାରୀଙ୍କ ସହିତ ଏହିପରି ସିଧାସଳଖ କଥାବାର୍ତ୍ତା ଶେଷ ମାଇଲ୍କୁ ସଂଯୋଗ କରିବାରେ ସାହାଯ୍ୟ କରିଥାଏ, ବ୍ୟବଧାନ ହ୍ରାସ କରେ ଏବଂ ଏସ.ଏଚ.ଜି ସମୂହକୁ ସେମାନଙ୍କର ସ୍ୱର ଉତ୍ତୋଳନ କରି ନିଜର ସମସ୍ୟା ଜଣାଇବା ସହ ମତ ରଖିବାକୁ ଏକ ସୁଯୋଗ ପ୍ରଦାନ କରିଥାଏ , ଯାହା ପରବର୍ତ୍ତୀ ସମୟରେ ନୀତି ସଂସ୍କାରରେ ସହାୟକ ହୋଇଥାଏ |

ଏହି ଯୋଜନା ନିଃସନ୍ଦେହରେ ଏକ ଆନ୍ଦୋଳନ ସୃଷ୍ଟି କରିଛି, ଯେଉଁ ଯୋଜନା ଦ୍ୱାରା ଅସୁରକ୍ଷିତ ଗୋଷ୍ଠୀଗୁଡିକ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ଭାବରେ ସଶକ୍ତ ହୋଇ ସହରାଞ୍ଚଳ ଭିତ୍ତିଭୂମି ଯଥା ପେଭର୍ ବ୍ଲକ୍ ରାସ୍ତା, ପାର୍କ, ସର୍ବସାଧାରଣ ଜିମ୍, ସ୍ଥାନୀୟ କ୍ଷେତ୍ର ବିକାଶ, କମ୍ୟୁନିଟି ସେଣ୍ଟର ଇତ୍ୟାଦି ନିର୍ମାଣ କାର୍ଯ୍ୟ ସମ୍ପାଦନ କରିଅଛି ଏବଂ କୁଶଳୀ, ଅର୍ଦ୍ଧ କୁଶଳୀ ଏବଂ ଅଣ କୁଶଳୀ ଶ୍ରମିକଙ୍କ ପାଇଁ ଶ୍ରମ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି |

ମୁଖ୍ୟମନ୍ତ୍ରୀ ମୁକ୍ତା ଯୋଜନାରେ୨୦୨୩ -୨୪ ଆର୍ଥିକ ବର୍ଷ ପାଇଁ କାର୍ଯ୍ୟ ଅନୁମୋଦନ କରି ୧୦୬୦୦ ପ୍ରକଳ୍ପ ନିମନ୍ତେ ୮୩୩ କୋଟି ଟଙ୍କାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଏହି ଗୋଷ୍ଠୀ ସହଭାଗୀ ମାନଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ମୁକ୍ତା ପ୍ରକଳ୍ପ ଗୁଡିକର କାର୍ଯ୍ୟ ସମ୍ପାଦନରେ ଜଡିତ ମିଶନ ଶକ୍ତି ଗୋଷ୍ଠୀସମୂହ,ମ୍ୟୁନିସିପାଲିଟି ଅଧିକାରୀ ଏବଂ ମୁକ୍ତା କାର୍ଯ୍ୟକର୍ତ୍ତା ମାନଙ୍କର ଦକ୍ଷତା ବୃଦ୍ଧିରେ ସାହାଯ୍ୟ ପ୍ରଦାନ କରିବ ।

Exit mobile version