Site icon ଆଜିକାଲି

ବାଡିରେ ଶୋଇଥିବା ବେଳେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ମାହାଙ୍ଗା : ବାଡିରେ ଶୋଇଥିବା ବେଳେ ହତ୍ୟା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଛି ମୃତଦେହ । ମାହାଙ୍ଗାରେ ଘଟିଛି ଏଭଳି ହତ୍ୟାକାଣ୍ଡ । ଘଟଣାସ୍ଥଳରେ ଏସଡିପିଓ ଓ ମାହାଙ୍ଗା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ସୂଚନାଯୋଗ୍ୟ ଯେ, ମାହାଙ୍ଗା ବ୍ଲକ୍ ପାଇକରାପୁର ପଞ୍ଚାୟତର ଦିବାକର ବେହେରା ରବିବାର ରାତିରେ ଘର ପାଖରୁ ଦୂରରେ ଥିବା ବାଡିରେ ଶୋଇଥିଲେ । ଲଳିତଗିରି ପଞ୍ଚାୟତର ଜେରକନ୍ଦ ଗ୍ରାମରୁ ଭୋଜି ଖାଇସାରି ଆସି ସେ ଚାଳିଆ ଘରେ ଶୋଇଥିଲେ । ସକାଳୁ ସକାଳୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ କିଛି ଗ୍ରାମବାସୀ ତାଙ୍କୁ ଦେଖିବା ପରେ ପରିବାର ଲୋକେ ସେଠାକୁ ଆସିଥିଲେ । ଦିବାକର ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ସେହି ଜାଗାରେ ଏକ ଚାଳ ଛପର ଘର କରି ମାଟି ହାଣ୍ଡି ପ୍ରସ୍ତୁତ କରି ବିକ୍ରି କରନ୍ତି । ସେ ବୃତ୍ତିରେ ଜଣେ କୁମ୍ଭାକର । ପ୍ରତିଦିନ ନିଜ ଘରେ ଖାଇ ସାରି ଉଭୟ ସ୍ବାମୀ ଓ ସ୍ତ୍ରୀ ଶୋଇବାକୁ ସେହି ସ୍ଥାନକୁ ଆସି ଥାଆନ୍ତି । କିନ୍ତୁ ରବିବାର ରାତିରେ ଦିବାକର ଏକୁଟିଆ ସେଠାରେ ଶୋଇଥିଲେ ବୋଲି ପରିବାର ଲୋକ କହିବା ସହିତ କିଛି ଦୁର୍ବୃତ୍ତମାନେ ମିଶିକରି ଦିବାକରଙ୍କ ମୁଣ୍ଡରେ ଶକ୍ତ ପ୍ରହାର କରି ହତ୍ୟା କରିଛନ୍ତି ବୋଲି ପରିବାର ତରଫରୁ ଅଭିଯୋଗ କରାଯାଇଛି ।

ଅପରପକ୍ଷରେ ଘଟଣାସ୍ଥଳରେ ମାହାଙ୍ଗା ପୋଲିସ ପହଞ୍ଚି ତଦନ୍ତ କରିବା ସହିତ ଏହା ହତ୍ୟା ହୋଇଥାଇପାରେ ବୋଲି ସ୍ପଷ୍ଟ କରିଛନ୍ତି । ଘଟଣାସ୍ଥଳରେ ସାଇଣ୍ଟଫିକ୍ ଟିମ୍ ଆସିବା ପରେ ଶବ ବ୍ୟବଚ୍ଛେଦ ପାଇଁ କଟକ ସ୍ଥାନାନ୍ତର କରାଯିବ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସେହି ଆଧାରରେ ପୋଲିସ ତଦନ୍ତ କରି ତୁରନ୍ତ ଅପରାଧୀକୁ ଗିରଫ କରିବ ବୋଲି କହିଛି ।

Exit mobile version