Site icon ଆଜିକାଲି

ମା’ ସମଲେଶ୍ଵରୀଙ୍କୁ ଲାଗି ହେଲା ନବାନ୍ନ, ପଶ୍ଚିମ ଓଡ଼ିଶା ଉତ୍ସବମୁଖର

ସମ୍ବଲପୁର : ଆଜି ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ। ଏଥିପାଇଁ ସମଗ୍ର ପଶ୍ଚିମ ଓଡ଼ିଶାଳ ଚଳଚଞ୍ଚଳ ହୋଇପଡ଼ିଛି। ଶୁଭ ଲଗ୍ନ ସକାଳ ୯ଟା ୧୨ରୁ ୨୭ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବା ମା’ ସମଲେଶ୍ଵରୀଙ୍କ ନିକଟରେ ନବାନ୍ନ ଲାଗି ନୀତି ସମ୍ପନ୍ନ ହୋଇଛି। ଏହା ପରେ ମନ୍ଦିର ଚତୁଃପାର୍ଶ୍ବରେ ରହିଥିବା ୧୧୫ ଦେବଦେବୀଙ୍କୁ ନବାନ୍ନ ଲାଗି କରାଯାଇଛି। ମା’ଙ୍କ ଦର୍ଶନ ପାଇଁ ମନ୍ଦିରକୁ ସକାଳୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ଏବଂ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସେହିପରି ବଲାଙ୍ଗିରରେ ବି ନିର୍ଦ୍ଧାରିତ ସମୟରେ ମାଆ ପାଟଣେଶ୍ୱରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ଏହି ସମୟରେ ଉଭୟ ମନ୍ଦିରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ମା’ଙ୍କ ନିକଟରେ ନବାହ୍ନ ଲାଗି ହେବା ପରେ ଶ୍ରଦ୍ଧାଳୁମାନେ ପ୍ରସାଦ ପାଇଥିଲେ। ଏହାପରେ ପଶ୍ଚିମ ଓଡ଼ିଶାରେ ଘରେ ଘରେ ବେଶ୍‌ ଆନନ୍ଦ ଉଲ୍ଲାସ ସହିତ ଆରମ୍ଭ ହୋଇଯାଇଛି ନୂଆଁଖାଇ ପର୍ବ ।

ପ୍ରଥମ ଶସ୍ୟକୁ ଇଷ୍ଟ ଦେବୀଙ୍କ ନିକଟରେ ଅର୍ପଣ କରିବାର ପରମ୍ପରାକୁ କୁହାଯାଇଥାଏ ନୂଆଖାଁଇ । ମା’ ନିକଟରେ ଅର୍ପଣ କରାଯାଉଥିବା ଚାଉଳକୁ ପଶୁପକ୍ଷୀ ବି ଅଇଁଠା କରି ନ ଥାନ୍ତି। ତେଣୁ ଫସଲ ପାଚିବା ପୂର୍ବରୁ ବିଲରୁ ଅମଳ କରି ଆଣି ମା’ଙ୍କୁ ଅର୍ପଣ କରାଯାଇଥାଏ। ଧରିତ୍ରୀ ଶସ୍ୟ ଶ୍ୟାମଳା ହେଉ, କାହାକୁ ଅନ୍ନ କଷ୍ଟ ନ ଲାଗୁ ବୋଲି ମା଼’ଙ୍କ ନିକଟରେ ଗୁହାରୀ କରାଯାଇଥାଏ । ଏହି ଅବସରରେ ଘରେ ଘରେ ସମସ୍ତ ପରିବାର ସଦସ୍ୟ ନୂଆ ବସ୍ତ୍ର ପିନ୍ଧିଥାନ୍ତି। ଏଥିସହ ନୂଆଁ ଅନ୍ନ ସହ ହୋଇଥାଏ ଭଳି କି ଭଳି ଖାଦ୍ୟ ପ୍ରସ୍ତୁତି। ପରିବାରର ସାନମାନେ ନୂଆ ବସ୍ତ୍ର ପିନ୍ଧି ବଡ଼ମାନଙ୍କ ଆର୍ଶିବାଦ ନେଇଥାନ୍ତି। ପରେ ପରିବାରର ସମସ୍ତେ ଏକାଠି ବସି ନୂଆଁ ଖାଇଥାନ୍ତି। ନୂଆଁଖାଇ ପାଳନ ନିମନ୍ତେ ଦେଶବିଦେଶରୁ ଲୋକେ ନିଜ ଘରକୁ ଛୁଟି ଆସିଥାନ୍ତି।

Exit mobile version