Site icon ଆଜିକାଲି

ଗରୀବ ଜିଲ୍ଲାର ମହଙ୍ଗା ପରିବା ଶ୍ରାବଣ ଓ ବଡ଼ା ଛତୁ

ନବରଙ୍ଗପୁର, କିଲୋ ୧୬୦୦ ଟଙ୍କା! ଶ୍ରାବଣର ଆରମ୍ଭରେ ଶ୍ରାବଣ ଓ ବଡ଼ା ଛତୁର ଚାହିଦା କାହିଁରେ କେତେ। ବଜାର,ରାସ୍ତାକଡରେ ପ୍ରଥମ ଦେଖାରେ ଲୋକଙ୍କ ମନରେ କୌତୁହଳ ଲାଗେ ଯେ,ଏଥର ବଡା ଓ ଶ୍ରାବଣ ଛତୁର ଦାମ କେତେ ରହିଛି। ଜଙ୍ଗଲଜମିରୁ ସୃଷ୍ଟି ବଡା ଓ ଶ୍ରାବଣ ଛତୁକୁ ସଂଗ୍ରହ କରାଯାଇଥାଏ। ଶାଳଗଛର ପତ୍ରଝଡା ମାଟିରୁ,ଆକାଶର ବିଜୁଳି ଘଡଘଡି ସହ ପହିଲି ବର୍ଷା ପରେ ପରେ ଶ୍ରାବଣ ମାସରେ ଶ୍ରାବଣ ଓ ବଡା ଛତୁ ସ୍ଥାନୀୟ ବଜାରରେ ମିଳିବା ଆରମ୍ଭ ହୋଇଥାଏ। ଜିଲ୍ଲା ତଥା ଅବିଭକ୍ତ କୋରାପୁଟ ଜିଲ୍ଲାରେ ଜଙ୍ଗଲ ରେ ପାଇବାର ଜଣାପଡିଛି। ତେବେ ଏହାର ଦର ଶହେରେ ନୁହେଁ। କିଲୋ ହିସାବରେ ହଜାରେରୁ ଅଧିକ ଟଙ୍କାରେ ବିକ୍ରି କରାଯାଇଥାଏ। ଏ ବର୍ଷ ପ୍ରଥମକରି ବଜାରରେ କିଲୋପ୍ରତି ୧୬୦୦ ଟଙ୍କା ରହିଛି। ବର୍ତ୍ତମାନ ପରିବା ଦର ଆକାଶଛୁଆଁ ରହିଥିବା ପ୍ରତ୍ୟେକ ଖବର କାଗଜରେ ପ୍ରସାରିତ ହେଉଥିବା ବେଳେ ଟମାଟ ଦାମ କିଲୋକୁ ୧୨୦ ଟଙ୍କା ବିକ୍ରି ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିଛି। ଅନ୍ୟାନ୍ୟ ପରିବା ମୂଲ୍ୟ ମଧ୍ୟ ଅନୁରୂପ ଦରବୃଦ୍ଧି ହୋଇଛି। ନିକଟରେ ଗରୀବ ଜିଲ୍ଲା ଭାବେ ନବରଂଗପୁରକୁ ଅନ୍ତର୍ଭୁକ୍ତ ହୋଇ ଚର୍ଚ୍ଚାରେ ରହିଛି। ଏଠାକାର ଜନ ସାଧାରଣଙ୍କ ମୁଣ୍ଡ ପିଛା ବାର୍ଷିକ ୧୪ ହଜାର ଟଙ୍କାମାତ୍ର ରହିଥିବା ବେଳେ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଶତକଡା ୮୫ ପ୍ରତିଶତ ଲୋକ ରହୁଛନ୍ତି। କିନ୍ତୁ ଗରୀବ ଜିଲ୍ଲା ଭାବେ ନବରଙ୍ଗପୁର ପରିଚୟ ସୃଷ୍ଟି କରୁଥିଲେ ମଧ୍ୟ ଏଠାକାର ଜନ ସାଧାରଣଙ୍କ ଖାଦ୍ୟ ରୁଚି ସମ୍ପୂର୍ଣ୍ଣ ଅଲଗା। ଟଙ୍କିକିଆ ଚାଉଳରେ କେହି କେହି ଉଦର ଲେଉଟାଉଥିବା ସମୟରେ ଚଢ଼ା ଦରରେ ମଧ୍ୟ ବଡ଼ା ଓ ଶ୍ରାବଣ ଛତୁ କ୍ରୟ କରି ନିଜ ପାଟି ସୁଆଦର ଇଚ୍ଛା ପୂର୍ଣ୍ଣ କରିଥାନ୍ତି।

Exit mobile version