Site icon ଆଜିକାଲି

ଖବର ପ୍ରସାରଣ ପରେ ରାମଚନ୍ଦ୍ରଙ୍କ ଚିକିତ୍ସାର ହାତ ବଢ଼ାଇଲା ପ୍ରଶାସନ,ସ୍ଥାନାନ୍ତରିତ ହେଲା କଟକ ମେଡିକାଲ


ନବରଙ୍ଗପୁର, (ସରୋଜ କୁମାର ବେହେରା) ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ବାସିନୀ ପଞ୍ଚାୟତ ଅଧୀନ ବେତାଳ ଗ୍ରାମର ଶୁକଦାସ ଭତ୍ରାଙ୍କ ପୁତ୍ର ରାମଚନ୍ଦ୍ର ଭତ୍ରାଙ୍କ ନିକଟରେ ଅସ୍ବାଭାବିକ ଭାବେ ପାଟିରେ ଅସଂଖ୍ୟ ଦାନ୍ତ ବାହାରିବା ବେଳକୁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା କିଛି ଦିନ ତଳେ ଆଜିକାଲି ଖବର କାଗଜରେ ପ୍ରକାଶ ପାଇଥିଲା।ଖବର ପ୍ରକାଶ ପରେ ତୁରନ୍ତ ପ୍ରଶାସନ ପକ୍ଷରୁ ଯୁଦ୍ଧ କାଳୀନ ପରିସ୍ଥିତିରେ ସମସ୍ତ କାଗଜ ପତ୍ର ପ୍ରସ୍ତୁତ କରି ଆଜି ଉଚ୍ଚ ଚିକିତ୍ସା ନିମନ୍ତେ ଏସସିବି ମେଡିକାଲ କଲେଜରେ ଚିକିତ୍ସା ପାଇଁ ଜଣେ ବିଭାଗୀୟ ଡାକ୍ତର ନିଖିଲ ପଣ୍ଡାଙ୍କ ସହିତ କଟକ ପ୍ରେରଣ କରିଛି ଜିଲ୍ଲା ପ୍ରଶାସନ। ଦାରିଦ୍ର୍ୟ ସୀମାରେଖା ତଳେ ରହି ଆସୁଥିବା ବିପିଏଲ କାର୍ଡଧାରୀ ଶୁକଦାସ ଭତ୍ରା ଓ ସୁମିତ୍ରା ଭତ୍ରାଙ୍କ ଏଗାର ବର୍ଷିଆ ପୁଅ ରାମଚନ୍ଦ୍ର ଭତ୍ରାଙ୍କ ଶରୀରରେ ଆକସ୍ମିକ ଭାବେ ଅଜସ୍ର ଦାନ୍ତ ଉଠିବାରେ ଲାଗିଛି।ରାମଚନ୍ଦ୍ରଙ୍କୁ ବର୍ତ୍ତମାନ ଏଗାର ବର୍ଷ ବୟସ ହେଇଥିବା ବେଳେ ରାମଚନ୍ଦ୍ରଙ୍କ ମୁହଁରେ ତଳ ଉପର ହୋଇ ୨୬ ଟି ଦାନ୍ତ ବାହାରିଛି।ପୁଅର ଶରୀର ଗଠନର ଭିନ୍ନତା ଦେଖି ପରିବାର ପକ୍ଷରୁ ଅନେକ ଡାକ୍ତରଙ୍କୁ ଚିକିତ୍ସା ପାଇଁ ଦେଖେଇବା ପରେ ଦାନ୍ତର ଏକ୍ସରେ କରି ଦେଖିବା ପରେ ଡାକ୍ତର ଆଶ୍ଚର୍ଯ୍ୟ ପ୍ରକଟ କରି କହିଛନ୍ତି ଯେ ରାମଚନ୍ଦ୍ରଙ୍କ ପ୍ରାପ୍ତ ବୟସରେ ସର୍ବନ୍ୟୂନ ଶହେଟି ଦାନ୍ତ ଉଠିବାର ସମ୍ବାବନା ରହିଛି।ଆର୍ଥିକ ଅନାଟନରେ ରହୁଥିବା ଦିନ ମଜୁରିଆ ପରିବାର ସୁକଦାସ ଭତ୍ରାଙ୍କ ପୁଅ ରାମଚନ୍ଦ୍ରଙ୍କୁ ବିକ୍ରମପୁର ଆଶ୍ରମ ବିଦ୍ୟାଳୟରେ ନାମ ଲେଖେଇ ଆର୍ଥିକ ଖର୍ଚ୍ଚରୁ ମୁକ୍ତି ପାଇ ଆଶ୍ୱସ୍ତ ହେଲା ବେଳକୁ ପୁଅର ଅଜସ୍ର ଦାନ୍ତକୁ ବାହାର କରିବା ଓ ରୋକିବା ପାଇଁ ଅର୍ଥ ସାଜିଥିଲା ବାଧକ। କିନ୍ତୁ ବର୍ତ୍ତମାନ ପ୍ରଶାସନ ଚିଠି ସଂଖ୍ୟା ୮୧୩୯ ତାରିଖ ୨୬.୧୦.୨୩ କରି ରାମଚନ୍ଦ୍ରଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ତଥା ଯାତାୟାତ ଖର୍ଚ୍ଚ ବହନ କରିଥିବାରୁ ଭାରତୀୟ ଜନତା ପାର୍ଟି ବଡ ମସିଗାଁ ମଣ୍ଡଳର ଯୁବ ନେତା ରମେଶ ଭତ୍ରା କୃତଜ୍ଞତା ଜ୍ଞାପନ କରିଛନ୍ତି।

Exit mobile version