Site icon ଆଜିକାଲି

ଜାତୀୟ ‘ଆକାଂକ୍ଷୀ’ ଜିଲ୍ଲା ଡେଲ୍‌‌ଟା ରାଙ୍କିଙ୍ଗ୍‌ : ସାରାଦେଶରେ ରାୟଗଡ଼ା ପ୍ରଥମ, ନୂଆପଡ଼ା ତୃତୀୟ

ଭୁବନେଶ୍ୱର -ତୃଣମୂଳସ୍ତରରେ ଯୋଜନାର ସଫଳ କାର୍ଯ୍ୟକାରିତା ଦୃଷ୍ଟିରୁ ଦେଶର ଅଗ୍ରଣୀ ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ। ନୀତି ଆୟୋଗଙ୍କ ‘ଆକାଂକ୍ଷୀ’ ଜିଲ୍ଲା କାର୍ଯ୍ୟକ୍ରମରେ ସ୍ଥାନ ପାଇଥିବା ଓଡ଼ିଶାର ଜିଲ୍ଲାଗୁଡ଼ିକ ଭଲ ପ୍ରଦର୍ଶନ କରିଆସୁଛନ୍ତି । ଏହିକ୍ରମରେ ଅକ୍ଟୋବର ମାସ ପାଇଁ ପ୍ରକାଶ ପାଇଥିବା ସାମଗ୍ରିକ ବର୍ଗର ଡେଲ୍‌‌ଟା ରାଙ୍କିଙ୍ଗ୍‌ରେ ରାୟଗଡ଼ା ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଛି । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଜଳସେଚନ, ଭିତ୍ତିଭୂମି ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଆଦି ୫ଟି ମାନଦଣ୍ଡକୁ ନେଇ ଏହି ସାମଗ୍ରିକ ରାଙ୍କିଙ୍ଗ୍‌ ପ୍ରକାଶ ପାଉଥିବା ବେଳେ ଏଥିରେ ରାୟଗଡ଼ା ପୂରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏ କ୍ଷେତ୍ରରେ ନୂଆପଡ଼ା ଜିଲ୍ଲା ସାରାଦେଶରେ ତୃତୀୟ ସ୍ଥାନରେ ରହିଛି । ନୀତି ଆୟୋଗର ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ଚମ୍ପିଆନ ଅଫ୍‌‌ ଚେଞ୍ଜ ଡ୍ୟାସବୋର୍ଡରେ ବିସ୍ତୃତ ତଥ୍ୟ ପ୍ରକାଶ ପାଇଛି। ରାଜ୍ୟରେ ସୁଶାସନ, ୫-ଟି ଉପକ୍ରମର ସଫଳ ଅନୁପାଳନ ଯୋଗୁଁ ଆକାଂକ୍ଷୀ ଜିଲ୍ଲା ଯୋଜନାରେ ସାମିଲ ଓଡ଼ିଶାର ସାମିଲ ୧୦ ଜିଲ୍ଲା କ୍ରମାଗତ ଉନ୍ନତ ପ୍ରଦର୍ଶନ କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଗତ ସେପ୍ଟେମ୍ବର ମାସରେ ଏହି ସାମଗ୍ରିକ ରାଙ୍କିଙ୍ଗ୍‌ରେ ଢେଙ୍କାନାଳ ସମଗ୍ର ଦେଶରେ ଚତୁର୍ଥ ସ୍ଥାନ ଓ ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ଏହି ରିପୋର୍ଟରେ କନ୍ଧମାଳ ତୃତୀୟ ସ୍ଥାନ ହାସଲ କରିଥିଲା। ମାତ୍ର ଏବେ ରାୟଗଡ଼ା ସାରା ଦେଶରେ ଶୀର୍ଷ ସ୍ଥାନ ଅଧିକାର କରିଛି। ଗତ ତିନି ବର୍ଷରେ ବିଭିନ୍ନ ସମୟରେ ଆକାଂକ୍ଷୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଓଡ଼ିଶାର ୧୦ ଜିଲ୍ଲା ଆଖିଦୃଶିଆ ପ୍ରଦର୍ଶନ କରି ଆସିବା ସହ ଅଧିକାଂଶ ସମୟରେ ଶ୍ରେଷ୍ଠ ୫ ଜିଲ୍ଲା ମଧ୍ୟରେ ରହି ଆସୁଛନ୍ତି। ଏହି କାର୍ଯ୍ୟକ୍ରମରେ ସାମିଲ ଓଡ଼ିଶାର ଜିଲ୍ଲାଗୁଡ଼ିକ ପ୍ରତିବଦ୍ଧତାର ସହ ବିକାଶ ଦିଗରେ କାମ କରୁଥିବା ବେଳେ ଏହା ରାଙ୍କିଙ୍ଗ୍‌ରେ ପ୍ରତିଫଳିତ ହେଉଛି।

Exit mobile version