Site icon ଆଜିକାଲି

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡା : ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ପର୍ଯ୍ୟଟକ ମାନଙ୍କୁ ଭିତରକନିକାକୁ ସ୍ୱାଗତ କରିବା ପାଇଁ ବନବିଭାଗ ପ୍ରସ୍ତୁତ ହୋଇଛି। ନୂତନ ଲୁଣା ନର୍ସରୀ, ସେଲ୍ଫି ପଏଣ୍ଟ, ବିଳାସପୂର୍ଣ୍ଣ ଏସି ରେଷ୍ଟୁରାଣ୍ଟ, ବୋଟ ଲାଇବ୍ରେରୀ ଓ ବ୍ୟାଟେରୀ ବୋଟ ଆଦିକୁ ପ୍ରସ୍ତୁତ ରଖାଯାଇଛି। ସେହିପରି କଟେଜ୍, ମିୟୁଜିୟମ, ବୋଟ୍ ଓ ବ୍ୟାଟେରୀ ଚାଳିତ ଗାଡ଼ି ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଗୁପ୍ତି, ଖୋଳା, ଚାନ୍ଦବାଲି ଦେଇ ଭିତରକନିକାକୁ ଜଳପଥରେ ପ୍ରବେଶ କରି ହେବ। ସ୍ଥଳପଥରେ ଡାଙ୍ଗମାଳ ମୁଖ୍ୟ ଫାଟକ ଦେଇ ଭିତରକନିକାକୁ ପ୍ରବେଶ କରିପାରିବେ ପର୍ଯ୍ୟଟକ। ରାତ୍ରି ଯାପନ ପାଇଁ ଡାଙ୍ଗମାଳ ଓ ଗୁପ୍ତିରେ କଟେଜ ବ୍ୟବସ୍ଥା କରାଯାଇଛି।

ଭିତରକନିକା ମଧ୍ୟକୁ ପଲିଥିନ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ପୂର୍ବରୁ ଏହି କଟକଣା ଥିଲେ ମଧ୍ୟ କେତେକାଂଶରେ ପର୍ଯ୍ୟଟକ ପଲିଥିନ ଭିତରକୁ ନେଇ ଏଣେତେଣେ ଫୋପାଡିବା ସହ ନଦୀ ନାଳରେ ମଧ୍ୟ ଫିଙ୍ଗୁଥିଲେ। ପଲିଥିନ ଓ ପ୍ଲାଷ୍ଟିକ ଆବର୍ଜନା ଜୈବ ବିବିଧତା ସନ୍ତୁଳନ ରକ୍ଷା କରିବାରେ ବ୍ୟାଘାତ ସୃଷ୍ଟି କରୁଛି। ଏ ନେଇ ପର୍ଯ୍ୟଟକଙ୍କୁ ବନବିଭାଗ ପକ୍ଷରୁ ସଚେତନ କରାଯିବ। ଏଥିସହ ପର୍ଯ୍ୟଟକଙ୍କୁ ଶୁଦ୍ଧ ପାନୀୟଜଳ ଯୋଗାଇ ଦେବାକୁ ଭିତରକନିକାର ବିଭିନ୍ନ ସ୍ଥାନରେ ପାନୀୟ ଜଳର ବ୍ୟବସ୍ଥା କରାଯିବ। ସୁସ୍ଥ ପରିବେଶ ଓ ଭିତରକନିକା ଜୈବ ବିବିଧତାର ସୁରକ୍ଷା ପାଇଁ ପର୍ଯ୍ୟଟକମାନେ ଏହି ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ ଭିତରକନିକା ଗଢିବାରେ ସହଯୋଗର ହାତ ବଢେଇବାକୁ କନିକା ରେଞ୍ଜ ଅଫିସର ମାନସ କୁମାର ଦାସ ନିବେଦନ କରିଛନ୍ତି। ପଲିଥିନ ବଦଳରେ କପଡ଼ା, କାଗଜ ଓ ଝୋଟରେ ପ୍ରସ୍ତୁତ ବ୍ୟାଗରେ ବ୍ୟବହାର୍ଯ୍ୟ ସାମଗ୍ରୀ ଭିତରକନିକା ମଧ୍ୟକୁ ନେବାକୁ ଅନୁରୋଧ କରାଯାଇଛି।

Exit mobile version