Site icon ଆଜିକାଲି

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ସାଇଦୁର୍ଗା

ବାଲେଶ୍ୱର : ଆଜିଠୁ ଆରମ୍ଭ ହୋଇଛି ଜଗତ ଜନନୀ ମା’ ଦୁର୍ଗାଙ୍କ ନବରାତ୍ର ପୂଜା । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ସହର ଫକୀରମୋହନ ଗୋଲେଇ ସ୍ଥିତ ସାଇଦୁର୍ଗା ମନ୍ଦିରରେ ଗୁରୁବାର ପ୍ରଥମ ଦିବସରେ ମା’ ଶୈଳପୁତ୍ରୀ ବେଶରେ ଦେଲେ ଦର୍ଶନ। ଏହି ଭବ୍ୟ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମିଥିବାର ପରିଲକ୍ଷିତ ହୋଇଥିଲା ।

ମା’ଙ୍କୁ ଏହି ବେଶରେ ଦର୍ଶନ କଲେ ଶୁଭଫଳ ପ୍ରାପ୍ତି ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି। ଫଳରେ ଭକ୍ତମାନେ ଫୁଲ, ଧୂପ, ଦୀପ ଧରି ମନ୍ଦିରକୁ ଆସିବା ସହ ଦେବୀଙ୍କ ଦର୍ଶନ କରିଥିଲେ। ଭକ୍ତଙ୍କ ପାଇଁ ମନ୍ଦିର କମିଟି ପକ୍ଷରୁ ସୁବ୍ୟବସ୍ଥା କରାଯାଇ ଥିବାବେଳେ ସାଜସଜ୍ଜା ଏବଂ ଭକ୍ତଙ୍କ ଅଖଣ୍ଡ ଦୀପରେ ମନ୍ଦିର ଝଲସି ଉଠିଛି।

ହିମାଳୟଙ୍କ ପୁତ୍ରୀ ହେବାର କାରଣ ତାଙ୍କୁ ଶୈଳପୁତ୍ରୀ କୁହାଯାଏ। ପୂର୍ବ ଜନ୍ମରେ ତାଙ୍କ ନାଁ ସତୀ ଥିଲା ଏବଂ ସେ ଭଗବାନ ଶିବଙ୍କ ପତ୍ନୀ ଥିଲେ। ସତୀଙ୍କ ପିତା ଦକ୍ଷ ପ୍ରଜାପତି ଭଗବାନ ଶିବଙ୍କ ଅପମାନ କରିଥିଲେ ଏହି କାରଣ ଯୋଗୁଁ ସତୀ ନିଜକୁ ଯଜ୍ଞକୁଣ୍ଡରେ ଭସ୍ମ କରି ଦେଇଥିଲେ। ପୂର୍ବ ଜନ୍ମରେ ଏହି ସତୀ ଶୈଳପୁତ୍ରୀ ହୋଇଥିଲେ ଏବଂ ଭଗବାନ ଶିବଙ୍କୁ ବିବାହ କରିଥିଲେ। ମାତା ଶୈଳପୁତ୍ରୀଙ୍କ ପୂଜା ଦ୍ବାରା ସୂର୍ଯ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ।

Exit mobile version