Site icon ଆଜିକାଲି

ଓଡ଼ିଶା ପାଇଲା ନୂଆ ମୁଖ୍ୟମନ୍ତ୍ରୀ, ମୋହନ ମାଝୀଙ୍କ ନାମରେ ବାଜିଲା ମୋହର

ଭୁବନେଶ୍ବର : ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେଲେ ମୋହନ ମାଝୀ । କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ପରେ ମୋହନ ମାଝୀଙ୍କ ନାଁ ଘୋଷଣା କରାଯାଇଛି । ଏହି ଅବସରରେ ୩ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଓ ଜୁଏଲ ଓରାମଙ୍କ ସହ ନବନିର୍ବାଚିତ ସାଂସଦମାନେ ବୈଠକରେ ଉପସ୍ଥିତ ଥିଲେ । ବୈଠକରେ ଦୁଇ କେନ୍ଦ୍ର ପର୍ଯ୍ୟବେକ୍ଷକ ରାଜନାଥ ସିଂହ, ଭୁପେନ୍ଦ୍ର ଯାଦବ ମଧ୍ୟ ଉପସ୍ଥିତ ଥିଲେ । ପୂର୍ବରୁ ଅନେକଙ୍କ ନାଁ ମୁଖ୍ୟମନ୍ତ୍ରୀ ଦୌଡରେ ସାମିଲ ଥିଲା । ତେବେ ଆଜି ଏହା ସ୍ପଷ୍ଟ ହେବା ପରେ ରାଜ୍ୟବାସୀ ନିଜ ନୂଆ ମୁଖ୍ୟମନ୍ତ୍ରୀ ପାଇଛନ୍ତି । ସମସ୍ତଙ୍କ ଉପସ୍ଥିତିରେ ମୋହନ ମାଝୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ମନୋନୟନ କରାଯାଇଛି ।

୧୨ ତାରିଖରେ ଭୁବନେଶ୍ଵର ଜନତା ମୈଦାନରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବାକୁ ଓଡ଼ିଶା ଆସୁଛନ୍ତି । ମଙ୍ଗଳବାର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିବାକୁ ବିଜେପିର ୫ ବରିଷ୍ଠ ନେତା ନବୀନ ନିବାସରେ ପହଞ୍ଚିଥିଲେ। ଶପଥ ଉତ୍ସବରେ ଯୋଗଦେବାକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି । ବିଜେପିର ୫ ବରିଷ୍ଠ ନେତା ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ, ସମୀର ମହାନ୍ତି ନବୀନ ନିବାସ ଯାଇ ନିମନ୍ତ୍ରଣ ଦେଇଛନ୍ତି।

Exit mobile version