Site icon ଆଜିକାଲି

ନନ୍ଦନକାନନରେ ନୂଆ ଅତିଥି, ଆସିଲେ ୪ ପ୍ରଜାତିର ୧୮ ଜନ୍ତୁ

ନନ୍ଦନକାନନ: ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ କୋଲକାତାସ୍ଥିତ ଆଲିପୁର ଚିଡ଼ିଆଖାନା ମଧ୍ୟରେ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନକ୍ରମେ ନନ୍ଦନକାନନ କର୍ତ୍ତୃପକ୍ଷ ୪ ପ୍ରଜାତିର ୯ ଜନ୍ତୁ ଆଲିପୁର ଚିଡ଼ିଆଖାନାକୁ ପଠାଇଛନ୍ତି। ଏହାର ପ୍ରତିବଦଳରେ ସେଠାରୁ ୪ ପ୍ରଜାତିର ୧୮ ଜନ୍ତୁ ଆସିଛନ୍ତି।

ନନ୍ଦନକାନନରୁ ଆଲିପୁର ଚିଡ଼ିଆଖାନାକୁ ଯାଇଥିବା ଜନ୍ତୁଙ୍କ ମଧ୍ୟରେ ହଳେ ଏସୀୟ ସିଂହ, ଗୋଟିଏ ବାଘୁଣୀ, ଦୁଇଟି ମାଈ କଳାଭାଲୁ, ଦୁଇହଳ ଗୁରାଣ୍ଡି ଅଛନ୍ତି। ଏହି ୯ ଜନ୍ତୁଙ୍କୁ ନେବାପାଇଁ ଆଲିପୁର ଚିଡ଼ିଆଖାନାର ଜଣେ ଚିକିତ୍ସକ, ବନପାଳ, ବନରକ୍ଷୀ ଓ ଜନ୍ତୁ ରକ୍ଷକଙ୍କ ସମେତ ୭ଜଣିଆ ଦଳ ଆସିଥିଲେ। ମଙ୍ଗଳବାର ନନ୍ଦନକାନନ ଉପନିର୍ଦେଶକ ସନଥ କୁମାର ନାରାୟଣଙ୍କ ଉପସ୍ଥିତିରେ ହସ୍ତାନ୍ତର କାର୍ଯ୍ୟ ସମାପନ ହୋଇଥିଲା। ଏହି ଜନ୍ତୁଙ୍କ ପ୍ରତିବଦଳରେ ସେଠାରୁ ହଳେ ଚାମୁଚ ଥଣ୍ଟିଆ ପକ୍ଷୀ, ହଳେ ମାଛରଙ୍କା ବିରାଡି, ୬ଟି ପାଣି ଗୋଧି (୨ଅଣ୍ଡିରା, ୪ମାଈ), ୪ହଳ ଆମେରିକା ଏଣ୍ଡୁଅ ଆସିଛନ୍ତି। ସେମାନଙ୍କୁ ବନ୍ୟପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ କ୍ବାରେଣ୍ଟାଇନ୍‌ରେ ଛଡ଼ାଯାଇଛି।

Exit mobile version