Site icon ଆଜିକାଲି

‘ନୂଆ-ଓ ଛାତ୍ରବୃତ୍ତି ବିତରଣ’ ଆରମ୍ଭ : ତିନିଟି ଜିଲ୍ଲାରେ କାର୍ଯ୍ୟକ୍ରମରେ ଯୋଗ ଦେଲେ ୫-ଟି ଅଧ୍ୟକ୍ଷ , ଖୁବ୍ ଶୀଘ୍ର ‘ନବୀନ ଓଡ଼ିଶା ମ୍ୟାଜିକ କାର୍ଡ’

ଭୁବନେଶ୍ୱର – ରାଜ୍ୟର ଯୁକ୍ତ ତିନି ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବୈପ୍ଲବିକ ନୂଆ-ଓ ଛାତ୍ରବୃତ୍ତି ଯୋଜନା ଆଜିଠୁ କାର୍ଯ୍ୟକାରୀ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ତିନିଟି ଜିଲ୍ଲା ଗସ୍ତ କରି ନୂଆ -ଓ ଛାତ୍ରବୃତ୍ତି ବିତରଣ କରିଛନ୍ତି। ସେ ସମ୍ବଲପୁର, ଅନୁଗୋଳ ଓ ଦେବଗଡ ଜିଲ୍ଲାରେ ନୂଆ-ଓ ଛାତ୍ରବୃତ୍ତି ବିତରଣ କାର୍ଯ୍ୟକ୍ରମରେ ଯୋଗ ଦେଇ ତିନି ଜିଲ୍ଲାର ୫୭ଟି କଲେଜର ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ କରିଥିଲେ। ନୂଆ-ଓ ଛାତ୍ରବୃତ୍ତି ଯୋଜନାରେ ସରକାରୀ ବିଶ୍ୱବିଦ୍ୟାଳୟ,ସରକାରୀ କଲେଜ,ଅନୁଦାନପ୍ରାପ୍ତ ଓ ଅଣ ଅନୁଦାନପ୍ରାପ୍ତ କଲେଜର ସମସ୍ତସଯୋଗ୍ୟ ପିଜି ଓ ୟୁଜି ଛାତ୍ରଛାତ୍ରୀମାନଙ୍କୁ ଛାତ୍ରବୃତ୍ତି ମିଳିବ ବୋଲି ସେ ସୂଚନା ଦେଇଥିଲେ। ସାଧାରଣ ଓ ଓବିସି ବର୍ଗର ଛାତ୍ରଙ୍କୁ ୯ ହଜାର ଓ ଛାତ୍ରୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ମିଳିବ । ଏହି ଯୋଜନାରେ ଏସସି/ଏସଟି ଓ ନିର୍ମାଣ ଶ୍ରମିକ ଛାତ୍ରଙ୍କୁ ୧୦ ହଜାର ଓ ଛାତ୍ରୀଙ୍କୁ ୧୧ ହଜାର ଟଙ୍କା ଲେଖାଏଁ ମିଳିବ।

ସମ୍ବଲପୁର ଜିଲ୍ଲାର ୨୧ଟି କଲେଜର ୧୩ ହଜାର ୪୨୩ ଛାତ୍ରଛାତ୍ରୀ , ଅନୁଗୋଳ ଜିଲ୍ଲାର ୨୫ଟି କଲେଜର ୧୧ ହଜାର ୨୬୫ ଓ ଦେବଗଡ ଜିଲ୍ଲାର ୧୧ଟି କଲେଜର ୩ ହଜାର ୪୨୪ ଜଣ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ଟଙ୍କା ସେମାନଙ୍କ ଆକାଉଣ୍ଟକୁ ପଠାଇ ଦିଆଯାଇଛି। ଏହି ତିନିଟି ଜିଲ୍ଲାର ୨୮ ହଜାର ୧୧୨ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୨୮ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ନେଇ ସୂଚନା ଦେଇଛନ୍ତି ୫-ଟି ଅଧ୍ୟକ୍ଷ । ଏହି ଅବସରରେ ପାଣ୍ଡିଆନ ଛାତ୍ରଛାତ୍ରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଛା ବାର୍ତ୍ତା ଜଣାଇଥିଲେ।

୨୦୨୪-୩୪ ଦଶକ ଯୁବଗୋଷ୍ଠୀଙ୍କ ଯୁଗ ହେବ ବୋଲି ୫-ଟି ଅଧ୍ୟକ୍ଷ କହିଛନ୍ତି । ନୂଆ ଓଡ଼ିଶାର ଲକ୍ଷ୍ୟ ହାସଲ ପାଇଁ ଯୁବକମାନେ ରାଜ୍ୟ ସରକାରଙ୍କ ଦ୍ୱାରା କ୍ଷମତାସମ୍ପନ୍ନ ହେବେ ବୋଲି ସେ କହିଥିଲେ। ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ବୋଲି ପାଣ୍ଡିଆନ କହିଥିଲେ। ନୂଆ-ଓ କାର୍ଯ୍ୟକ୍ରମ ଓ ଛାତ୍ରବୃତ୍ତି ଯୋଜନା ଯୁବକ ସଶକ୍ତିକରଣ ପାଇଁ ଗୋଟିଏ ଗୋଟିଏ ପଦକ୍ଷେପ ବୋଲି ୫-ଟି ଅଧ୍ୟକ୍ଷ କହିଛନ୍ତି।

ଆଗାମୀ ଦିନରେ ସବୁ ଛାତ୍ରଛାତ୍ରୀମାନଙ୍କ ପାଇଁ ‘ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ‘ର ଶୁଭାରମ୍ଭ କରାଯିବ । ଏହା ଏକ ପଏଣ୍ଟ ବ୍ୟବସ୍ଥା ଭିତ୍ତିକ ସ୍ମାର୍ଟ କାର୍ଡ, ଯାହାକି ଯୁବଗୋଷ୍ଠୀଙ୍କୁ ବୌଦ୍ଧିକ ବିକାଶ, ବ୍ୟକ୍ତିତ୍ଵ ବିକାଶ ଓ ନିଯୁକ୍ତି କ୍ଷେତ୍ରରେ ସଶକ୍ତ କରିବ ବୋଲି ପାଣ୍ଡିଆନ କହିଛନ୍ତି। ଏହି କାର୍ଡ ସମୃଦ୍ଧିର ପାସପୋର୍ଟ ହେବ ବୋଲି ସେ କହିଛନ୍ତି।

Exit mobile version