Site icon ଆଜିକାଲି

ଆଜିଠୁ ରାଜ୍ୟରେ ନୂଆ ପର୍ଯ୍ୟଟନ ନୀତି

ଭୁବନେଶ୍ୱର : ଆଜି ଠୁ ରାଜ୍ୟରେ ନୂଆ ପର୍ଯ୍ୟଟନ ନୀତି କାର୍ଯ୍ୟକାରୀ ହେବ। ଗତ ମଙ୍ଗଳବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଓଡ଼ିଶା ପର୍ଯ୍ୟଟନ ନୀତି-୨୦୨୨କୁ ଅନୁମୋଦନ ମିଳିଛି । ଏହି ନୂଆ ନୀତିରେ ନୂତନ ପର୍ଯ୍ୟଟନ ଉତ୍ପାଦନକୁ ଅନ୍ତର୍ଭୁକ୍ତ କରାଯିବା ସହ ପର୍ଯ୍ୟଟନ କ୍ଷେତ୍ରକୁ ନୂଆ ଦିଗଦର୍ଶନ ଦେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ମେକ୍ ଇନ୍ ଓଡ଼ିଶା କନକ୍ଲେଭକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନୂଆ ପର୍ଯ୍ୟଟନ ନୀତିକୁ ଅନୁମୋଦନ କରିଛନ୍ତି । ଯାହାଫଳରେ ରାଜ୍ୟରେ ପର୍ଯ୍ୟଟନ ଓ ଆତିଥ୍ୟ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ନିମନ୍ତେ ନିବେଶକଙ୍କୁ ଆକୃଷ୍ଟ କରାଯାଇ ପାରିବ ।

ପ୍ରସ୍ତାବିତ ନୂଆ ପର୍ଯ୍ୟଟନ ନୀତି ଅନୁସାରେ, ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପୂର୍ବ ନୀତିରେ ୨୦%ରୁ ୨୫% ଥିବା ପୁଞ୍ଜି ପ୍ରୋତ୍ସାହନ ସବସିଡିକୁ ନୂଆ ନୀତିରେ ୩୦% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଓ ମେଡିକାଲ ଟୁରିଜିମକୁ ମାନ୍ୟତାପ୍ରାପ୍ତ ପର୍ଯ୍ୟଟନ ଉଦ୍ୟୋଗ ଭାବେ ଅନୁମୋଦନ ସହ ଆଗ୍ରହୀ ନିବେଶକମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ଏହି ପଦକ୍ଷେପ ଓଡ଼ିଶା ମଧ୍ୟରେ ଉନ୍ନତ ଧରଣର ସୁପର ସ୍ପେଶାଲିଷ୍ଟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ସୃଷ୍ଟିକୁ ଉତ୍ସାହିତ କରିବା ସହ ରାଜ୍ୟ ତଥା ଅନ୍ୟାନ୍ୟ ଦେଶରୁ ଏଭଳି ସ୍ୱାସ୍ଥ୍ୟ ସେବା ଖୋଜୁଥିବା ଲୋକଙ୍କୁ ଉତ୍ସାହିତ କରିବ ।

ସେହିପରି ଓଡ଼ିଶାକୁ ଭାରତର ଅଗ୍ରଣୀ ପର୍ଯ୍ୟଟନ ସ୍ଥଳୀ ବର୍ଷସାରା ଯେଭଳି ପର୍ଯ୍ୟଟକ ଭାବେ ଆସିବେ ସେ ନିମନ୍ତେ ପଦକ୍ଷେପ ନିଆଯିବ । ବେଳାଭୂମି ପର୍ଯ୍ୟଟନ, ବୌଦ୍ଧ ପର୍ଯ୍ୟଟନ, ଐତିହ୍ୟ ପର୍ଯ୍ୟଟନ, ଧାର୍ମିକ ପର୍ଯ୍ୟଟନ, ଏମଆଇସିଇ ପର୍ଯ୍ୟଟନ, କାରଭାନ୍ ଟୁରିଜିମ, ସ୍ୱାସ୍ଥ୍ୟ ଓ ୱେଲନେସ ଟୁରିଜିମ, ସାମୁଦ୍ରିକ କ୍ରୁଜ୍ ଓ ୟାଟ୍ ଟୁରିଜିମ୍‌, ବାଲୁକା କଳା ପର୍ଯ୍ୟଟନ ଓ ଦୁଃସାହାସିକ ପର୍ଯ୍ୟଟନର ଅଭିବୃଦ୍ଧି ଦିଗରେ ଏହି ନୂଆ ପର୍ଯ୍ୟଟନ ନୀତିରେ ପ୍ରୋତ୍ସାହନର ସୁବିଧା ରହିଛି । ସୂଚନା ଯେ, ରାଜ୍ୟରେ ଏବେ ୨୦୧୬ ମସିହାର ପର୍ଯ୍ୟଟନ ନୀତି ବଳବତ୍ତର ରହିଛି ।

Exit mobile version