Site icon ଆଜିକାଲି

ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ, ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଆଲର୍ଟ

ଭୁବନେଶ୍ୱର : ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ଯାହାଫଳରେ ରାଜ୍ୟରେ ଆସନ୍ତା ୫ ତାରିଖ ଯାଏ ବର୍ଷା ଲାଗି ରହିବ। ଉତ୍ତର ଓ ଆଭ୍ୟନ୍ତରୀଣରେ ଅଧିକ ବର୍ଷା ହେବ। କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଉପକୂଳକୁ ବିଶେଷ ବର୍ଷା ନାହିଁ । ଆସନ୍ତା ୧୦ ତାରିଖରେ ମୌସୁମୀ ରାଜ୍ୟରୁ ଫେରିଯାଇପାରେ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ।

ସେହିପରି ଉପକୂଳରେ ଅଧିକ ବର୍ଷା ନ ଥିଲେ ବି ସ୍ୱଳ୍ପ ବର୍ଷା ହୋଇପାରେ । ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି ବୋଲି ସେ ପୂର୍ବାନୁମାନ କରିଛନ୍ତି । ରବିବାର, ସୋମବାର ଓ ମଙ୍ଗଳବାର ତିନିଦିନ ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

୧ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ସୁନ୍ଦରଗଡ଼, ଅନୁଗୁଳ, ଦେବଗଡ଼, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର, ବଲାଙ୍ଗୀର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଅଛି । ନୂଆପଡ଼ା, କେନ୍ଦ୍ରାପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, ଜଗତ୍‌ସିଂହପୁର, କଟକ, ଯାଜପୁର, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୨ ଓ ୩ ତାରିଖରେ ବି ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

୨ ତାରିଖରେ ବରଗଡ଼, ଝାରସୁଗଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ଅନୁଗୁଳ ଓ ସୋନପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ୩ ତାରିଖରେ ଝାରସୁଗଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ବରଗଡ଼, ବଲାଙ୍ଗୀର ଓ କେନ୍ଦୁଝରରେ ଭାରୀ ବର୍ଷା ସମ୍ଭାବନା ଅଛି । ୪ ତାରିଖରେ ବି ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ ।

Exit mobile version