Site icon ଆଜିକାଲି

୨୯ରୁ ଚନ୍ଦକା ଅଭୟାରଣ୍ୟରେ ରାତ୍ରୀକାଳୀନ ସଫାରୀ

ଭୁବନେଶ୍ୱର – ଏଣିକି ରାତିରେ ବି ପର୍ଯ୍ୟଟକ ଚନ୍ଦକା ଅଭୟାରଣ୍ୟରେ ବୁଲି ମଜା ନେଇପାରିବେ । ଭରତପୁର ସଫାରୀରେ ଚଳିତମାସ ୨୯ ତାରିଖରୁ ଆରମ୍ଭ ହେବ ନକଟରନାଲ୍ ଟ୍ରେଲ’ । ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ଏହି ସୂଚନା ଦେଇଛନ୍ତି। ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଭରତପୁର ପାର୍ଶ୍ୱରେ ନକଟରନାଲ ଟ୍ରେଲ’ ଆରମ୍ଭ ହେବ। ଯେଉଁମାନେ ଦିନରେ ସମୟ ପାଉନାହାନ୍ତି, ସେମାନେ ସନ୍ଧ୍ୟା ସମୟରେ ଅଭୟାରଣ୍ୟ ବୁଲିବା ସୁଯୋଗ ପାଇବେ। ଏହାଯୋଗୁଁ ଛାତ୍ରଛାତ୍ରୀ ଓ ରିସର୍ଚ୍ଚ ସ୍କଲାର ଅଧିକ ଉପକୃତ ହେବେ। ଏଠାରେ ଲୋକମାନେ ହରିଣ, ବାରହା ଓ ହାତୀ ସମେତ ରାତ୍ରିଚର ପ୍ରାଣୀମାନଙ୍କୁ ଦେଖିପାରିବେ ।

ବନ୍ୟପ୍ରାଣୀ ପିସିସିଏଫ ସୂଚନା ଦେଇଛନ୍ତି ଯେ, ଭରତପୁର ଓ ଗୋଡ଼ିବାରି ଗେଟ୍‌ରୁ ଦିନ ବେଳା ସଫାରୀ ହେଉଛି। ପ୍ରତି ଘଣ୍ଟାରେ ସଫାରୀ ଗାଡ଼ି ବାହାରୁଛି। ଏଣିକି ଭରତପୁର ପାର୍ଶ୍ୱରୁ ସନ୍ଧ୍ୟାରେ ପ୍ରତି ଘଣ୍ଟାରେ ଦୁଇଟି ଲେଖାଏଁ ଗାଡ଼ି ବାହାରିବେ। ପର୍ଯ୍ୟଟକମାନେ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ସଫାରୀର ମଜା ନେଇପାରିବେ।

Exit mobile version