Site icon ଆଜିକାଲି

ଆଜି ନୂଆଁଖାଇ, ମା’ ସମଲେଶ୍ୱରୀଙ୍କ ଠାରେ ଲାଗି ହେବ ନବାନ୍ନ

ସମ୍ବଲପୁର : ଆଜି ନୂଆଁଖାଇ। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ଗାଁଠୁ ସହର। ଅଧିଷ୍ଠାତ୍ରୀ ଦେବୀଙ୍କ ପାଖରେ ନୂଆଁ ଖାଦ୍ୟ ଲଗାଇବା ପରେ, ପରିବାର ସହ ଏକାଠି ବସିବେ ସମସ୍ତେ। ନୂଆଁ ଅନ୍ନ ସହ ଭଳି ଭଳିକା ଖାଦ୍ୟ ଖାଇବେ। ସମ୍ବଲପୁରରେ ମାଆ ସମଲେଶ୍ୱରୀଙ୍କ ପାଖରେ ଓ ବଲାଙ୍ଗିରର ମା’ ପାଟଣେଶ୍ୱରୀଙ୍କ ପାଖରେ ନୂଆ ଖାଦ୍ୟ ଲାଗି କରାଯିବ।

ସକାଳ ୯ଟା ୧୨ରୁ ୯ଟା ୨୭ ମଧ୍ୟରେ ଏଥିଲାଗି ସମୟ ନିର୍ଘଣ୍ଟ ଧାର୍ଯ୍ୟ ହୋଇଛି। ଏହାପରେ ପାର୍ଶ୍ଵ ଦେବଦେବୀଙ୍କୁ ନବାନ୍ନ ଲାଗି ହେବ । ତା’ ପରେ ପଶ୍ଚିମ ଓଡ଼ିଶାବାସୀ ଘରର ଇଷ୍ଟଦେବୀଙ୍କ ନବାନ୍ନ ଲାଗି କରିବା ପରେ ଘରେ ପରିବାର ସହ ଏକାଠି ବସି ନବାନ୍ନ ଖାଇବେ । ନୂଆଁଖାଇରେ ସାମିଲ ହେବାକୁ ସମ୍ବଲପୁର ଆସୁଛନ୍ତି ମୁଖ୍ୟମନ୍ତ୍ରୀ ଚରଣ ମାଝୀ। ତାଙ୍କ ସହ ଆସୁଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ମା’ ସମଲେଶ୍ଵରୀଙ୍କ ମନ୍ଦିରରେ ଅନ୍ୟ ନେତା ମନ୍ତ୍ରୀଙ୍କ ଗହଣରେ ଉଭୟେ ନବାନ୍ନ ଭକ୍ଷଣ କରିବେ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ମନ୍ଦିର ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମାଁ ସମଲେଇଙ୍କ ଦର୍ଶନ ପରେ ବିଭିନ୍ନ ସଂଗଠନ ତରଫରୁ ଆୟୋଜିତ ହେବାକୁ ଥିବା ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ନବାନ୍ନ ବିଧି ପରେ ମହା ଆଳତି, ଅନ୍ନଭୋଗ ଆଦି ରୀତିନୀତି ଥିବାରୁ ମଧ୍ୟାହ୍ନ ସାଢ଼େ ୧୨ଟା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ସ୍ଥିର ହୋଇଛି।

Exit mobile version