Site icon ଆଜିକାଲି

ବନ୍ଧା ହେଲେ ଭିଜିଲାନ୍ସ ଜାଲରେ ପଡ଼ିଥିବା ନୂଆପଡ଼ା ଏମଭିଆଇ ବିଜୟ ବେହୁରିଆ

ନୂଆପଡ଼ା : ବନ୍ଧା ହେଲେ ଭିଜିଲାନ୍ସ ଜାଲରେ ପଡ଼ିଥିବା ନୂଆପଡ଼ା ମୋଟର ଯାନ ନିରୀକ୍ଷକ (ଏମଭିଆଇ) ବିଜୟ କୁମାର ବେହୁରିଆ । ଗତକାଲି ୧ ଲକ୍ଷ ୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ଏହି ଟଙ୍କା କେଉଁଠୁ ଆଣିଲେ ତାହାର ସନ୍ତୋଷଜନକ ଉତ୍ତର ନ ଦେଇ ପାରିବାରୁ ତାଙ୍କୁ ରବିବାର ଗିରଫ କଲା ଭିଜିଲାନ୍ସ ବିଭାଗ।

ବେହୁରିଆ ବେଆଇନ ଭାବେ ଅର୍ଥ ଆଦାୟ କରି ଭୁବନେଶ୍ଵର ଯାଉଥିବାବେଳେ ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ଅଧିକାରୀମାନେ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟଠାରେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ଉକ୍ତ ଅର୍ଥ ଜବତ କରାଯାଇଥିଲା। ସେହି ଅର୍ଥ ସମ୍ପର୍କରେ ବେହୁରିଆ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ଏହା ପରେ ଅଧିକାରୀମାନେ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଅଟକ ରଖିଥିଲେ। ଏହା ପରେ ବେହୁରିଆଙ୍କ ୫ଟି ଠିକଣାରେ ଚଢ଼ାଉ କରାଯାଇଥିଲା।
ଏଥିସହ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଜୟଙ୍କ ନୂଆପଡ଼ା ସ୍ଥିତ ଘର, ଜଗତସିଂହପୁର ସ୍ଥିତ ପୈତୃକ ଘର, ଭୁବନେଶ୍ବର ଶୈଳଶ୍ରୀ ବିହାର ସ୍ଥିତ ଘର, ନୂଆପଡ଼ା ଏମଭିଆଇ ଅଫିସ ଚାମ୍ବରରେ ଏକକାଳୀନ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଥିଲା। । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯିବା ସହିତ ତାଙ୍କୁ ଗିରଫ କରାଯାଇଛି। ତେବେ ବିଜୟଙ୍କ ଘରୁ କେତେ ସମ୍ପତ୍ତି ଜବତ ହୋଇଛି ସେ ନେଇ ଭିଜିଲାନ୍ସ ତରଫରୁ କୌଣସି ତଥ୍ୟ ଦିଆଯାଇନି।

Exit mobile version