Site icon ଆଜିକାଲି

ଜିଦରେ ଅଟଳ ନର୍ସିଂ ଅଫିସର : ଆଜିଠୁ ଆନ୍ଦୋଳନ, ୨୭ରୁ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ

ଭୁବନେଶ୍ବର: ଏସମା ଲାଗୁ ସତ୍ତ୍ୱେ ଜିଦରେ ଅଟଳ ନର୍ସିଂ ଅଫିସର। ଆଜିଠୁ ଆନ୍ଦୋଳନ ଓହ୍ଲାଇବ ଅଲ୍ ଓଡ଼ିଶା ନର୍ସିଂ ସଂଘ। ନର୍ସିଂ କ୍ଷେତ୍ରରେ ଆଉଟୋସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ ସହ କର୍ମଚାରୀଙ୍କୁ ରେଗୁଲାର କରିବା ଭଳି ୧୦ଟି ଦାବି କରିଛି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ। ସଂଘ ପକ୍ଷରୁ କୁହାଯାଇଛି ଯେ, ରୋଗୀଙ୍କୁ ଦୃଷ୍ଟିରେ ରଖି ଆଜି ଓ କାଲି ଜରୁରୀ ସେବା ବ୍ୟାହତ କରିବୁନି। ଆଇସିୟୁ, ଓଟି ଓ ଏମର୍ଜେନ୍ସିରେ ସେବା ଯୋଗାଇବୁ। ତେବେ ଏହି ଦୁଇ ଦିନରେ ଆମ ଦାବି ନ ମାନିଲେ ୨୭ ତାରିଖ ଠାରୁ ସଂପୂର୍ଣ୍ଣ ଭାବେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ସଂଘ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରାୟ ୧୫୦୦୦ ନର୍ସିଂ ଅଧିକାରୀ ସେବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ହେଲେ ସେମାନଙ୍କ ନ୍ୟାଯ୍ୟ ଦାବି ପୂରଣ କରାଯାଉନାହିଁ। ୧୦ ଦଫା ଦାବି ନେଇ ନର୍ସିଂ ଅଧିକାରୀ ସଂଘ ରାଜ୍ୟ ସରକାରଙ୍କୁ ବାରମ୍ବାର ଅବଗତ କରାଇଛନ୍ତି। ଗତମାସରେ ଦାବି ପୂରଣ ପାଇଁ ସଂଘ ଆନ୍ଦୋଳନ କରିଥିଲା ଏବଂ ସେବା ପ୍ରଭାବିତ ହେବାରୁ ସରକାର ଆଲୋଚନାକୁ ଡାକିଥିଲେ। ଗତ ୨୫ରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇଥିଲା। ମନ୍ତ୍ରୀ ସଂଘକୁ ମାସେ ମହଲତ ଦେଇଥିଲେ ଏବଂ ମାସେ ମଧ୍ୟରେ ଦାବି ପୂରଣ ଉପରେ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ। ମାତ୍ର ଏପର୍ଯ୍ୟନ୍ତ ସରକାର କୌଣସି ପଦ‌େ‌କ୍ଷପ ଗ୍ରହଣ କରିଲେ ନାହିଁ କିମ୍ବା ସଂଘକୁ ଜଣାଇଲେ ନାହିଁ। ତେଣୁ ବାଧ୍ୟ ହୋଇ ଆସନ୍ତା ୨୫ରୁ ସଂଘ ଆଶୁଚିକିତ୍ସା କେନ୍ଦ୍ର, ଓଟି, ଲେବର ରୁମ ଏବଂ ଆଇସିୟୁ କାର୍ଯ୍ୟକୁ ବାଦ ଦେଇ ଅନ୍ୟ ସବୁ କାର୍ଯ୍ୟ ୨୬ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବେ। ଏସବୁ ସତ୍ତ୍ବେ ସରକାର କୌଣସି ପଦ‌େ‌କ୍ଷପ ଗ୍ରହଣ ନକଲେ ୨୭ରୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ। ଯଦି କିଛି ଅଘଟଣ ଘଟେ ତେବେ ଏଥିପାଇଁ ସରକାର ସମ୍ପୂର୍ଣ୍ଣଭାବେ ଦାୟୀ ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।  

ଏସମା ଲାଗିଥିବାରୁ ଆନ୍ଦୋଳନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ସରକାରୀ ହସ୍ପିଟାଲ ନିର୍ଦ୍ଦେଶକ ଓ ଅଧୀକ୍ଷକଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ନର୍ସିଂ ନିର୍ଦ୍ଦେଶକ। ଚିଠିରେ ଉଲ୍ଲେଖ ରହିଛି ଯେ, ଗତ ଅଗଷ୍ଟ ୭ ତାରିଖରୁ ନର୍ସିଂ ଅଫିସରଙ୍କ ବିରୋଧରେ ୬ ମାସ ପାଇଁ ଏସମା ଲାଗୁ ହୋଇଛି। ଏଭଳି ସ୍ଥିତିରେ ଯଦି ନର୍ସିଂ କର୍ମଚାରୀ ସଂଘ ଆନ୍ଦୋଳନ କରେ, ତାହାହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ତେଣେ ନର୍ସିଂ ଅଫିସରଙ୍କ ପ୍ରସ୍ତାବିତ ଆନ୍ଦୋଳନକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଦାବି ଉପରେ ଆଲୋଚନା ନେଇ ଆଜି ନର୍ସିଂ ସଂଘକୁ ଡାକିଛୁ। ଆଲୋଚନା ସଫଳ ହେବା ନେଇ ସରକାର ଆଶାବାଦୀ ଅଛନ୍ତି। ସ୍ୱାସ୍ଥ୍ୟ ସେବା ବ୍ୟାହତ ହେବନି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।

Exit mobile version