Site icon ଆଜିକାଲି

ବିଜେପି ସରକାରଙ୍କ ପ୍ରଥମ ବଜେଟ : ୨ଲକ୍ଷ ୬୫ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ଗୃହରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ରାଜ୍ୟର ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବଜେଟ ଅଭିଭାଷଣ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିକଶିତ ଭାରତ ଗଠନ ପାଇଁ ବିକଶିତ ଓଡିଶା ଗଠନ କରିବା ଜରୁରୀ ଅଟେ। ୨୦୨୪-୨୫ ଆର୍ଥିକ ବର୍ଷ ନିମନ୍ତେ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ଚଳିତ ବଜେଟ ପରିମାଣକୁ ୧୫% ବୃଦ୍ଧି କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ବଜେଟ ପରିମାଣ ଥିଲା ୨ ଲକ୍ଷ ୫୫ ହଜାର କୋଟି ଟଙ୍କା।

ପ୍ରଥମେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପାଇଁ ୫୦୦ କୋଟିର କର୍ପସ ଫଣ୍ଡ ଘୋଷଣା କରି କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ବିନା ଓଡ଼ିଆ ଜାତିର ପରିକଳ୍ପନା କରିବା ଅସମ୍ଭବ। କୃଷି ଓ କୃଷିକ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩୩ ହଜାର ୯୧୯ କୋଟି ଟଙ୍କାର ପ୍ରସ୍ତାବ ଆଗତ କରିଛନ୍ତି। ୨୦୨୩-୨୪ ବଜେଟ ତୁଳନାରେ ଏହି ପରିମାଣ ୧୫% ଅଧିକ। ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ବଜେଟର ପରିମାଣ ୨୪ ହଜାର ୮୨୯ କୋଟି ଥିଲା। କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ବଜେଟ ଆହତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏଣିକି ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାରେ କ୍ରୟ କରାଯିବ ଯାହା ଧାର୍ଯ୍ୟ ନ୍ୟୁନତମ ସହାୟକ ମୂଲ୍ୟ ଠାରୁ ୮୦୦ ଟଙ୍କା ଅଧିକ।

ଅନ୍ୟପକ୍ଷରେ ରାଜ୍ୟର ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବଜେଟରେ ନୂଆ ଯୋଜନା ‘ସିଏମ୍‌ କିଷାନ’ ବିଷୟ ଘୋଷଣା କରିଛନ୍ତି। ଏଥି ପାଇଁ ୧ ହଜାର ୯୩୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ସେହିପରି ସମୃଦ୍ଧ କୃଷକ ଯୋଜନା ବାବଦକୁ ୫ ହଜାର କୋଟି ଏବଂ ଶ୍ରୀଅନ୍ନ ଯୋଜନା ପାଇଁ ୬୪୯ କୋଟି ଟଙ୍କା ଘୋଷଣା କରାଯାଇଛି।

ସୁଭଦ୍ରା ଯୋଜନା ପାଇଁ ମୁଖ୍ୟମନ୍ତ୍ରୀ ବଜେଟରେ ୧୦ ହଜାର କୋଟିର ବ୍ୟୟବରାଦ କରିଥିବା ବେଳେ ଆଗାମୀ ଦିନରେ ରାଜ୍ୟ ସମବାୟ ନୀତି ପ୍ରଣୟନ କରାଯିବ ବୋଲି କହିଛନ୍ତି। ସେହିପରି ମହାନଦୀ ନବୀକରଣ ପାଇଁ ବୈଷୟିକ କମିଟି ଗଠନ ସହ ଡ୍ୟାମ ସୁରକ୍ଷା ଉନ୍ନତୀକରଣ ଯୋଜନା ପାଇଁ ୨ ଶହ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସେଥିପାଇଁ ମହିଳା ଓ ଶିଶୁ ବିକାଶ ପାଇଁ ୧୭ ହଜାର ୯୪୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ଅନାଥ ଶିଶୁଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ନିମନ୍ତେ ‘ଯଶୋଦା’ ଯୋଜନାରେ ୮୩ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

ଅନ୍ୟପକ୍ଷରେ ସାମାଜିକ ସୁରକ୍ଷା ଅନ୍ତର୍ଗତ ବିଭିନ୍ନ ଯୋଜନାରେ ଭତ୍ତା ପରିମାଣ ମାସିକ ୩ ହଜାର ୫ଶହ ଟଙ୍କାଙ୍କୁ ବୃଦ୍ଧି କରାଯାଇଛି। ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଅଧିକ ବୟସ୍କ ଓ ୮୦%ରୁ କମ୍‌ ହୋଇନଥିବା ଭିନ୍ନକ୍ଷମ ବର୍ଦ୍ଧିତ ଭତ୍ତା ପାଇବେ।

Exit mobile version