Site icon ଆଜିକାଲି

୭ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ : ଆଉ ଦେଢ଼ବର୍ଷ ବଢ଼ିଲା ଘରୋଇ ଡିଲରଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର : ସାଧାରଣ ବଂଟନ ବ୍ୟବସ୍ଥାରେ ରାଜ୍ୟରେ କାର୍ଯ୍ୟରତ ୫୨୯୧ଜଣ ଘରୋଇ ଡିଲରଙ୍କ କାର୍ଯ୍ୟକାଳ ଆଉ ଦେଢ଼ବର୍ଷ ବୃଦ୍ଧି ପାଇଛି । ସେହିପରି ବିଭିନ୍ନ କୋର୍ଟ ଓ ଟ୍ରିବ୍ୟୁନାଲରେ ସରକାରଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଆଡଭୋକେଟ୍ ଜେନେରାଲଙ୍କ ଫି’କୁ ମଧ୍ୟ ସରକାର ହାରାହାରି ୫ଗୁଣ ବଢ଼ାଇଛନ୍ତି । ଏସବୁ ପ୍ରସ୍ତାବ ସମେତ ମୋଟ ୭ଟି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି ।

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଓଡ଼ିଶା ସାଧାରଣ ବଂଟନ ବ୍ୟବସ୍ଥା(ନିୟନ୍ତ୍ରଣ) ଆଦେଶ,୨୦୧୬’ର ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଫଳରେ ଘରୋଇ ଡିଲରଙ୍କ ସ୍ଥାନରେ ଆନୁଷ୍ଠାନିକ ଡିଲରମାନଙ୍କ ନିଯୁକ୍ତି ପ୍ରକ୍ରିୟାକୁ ଆଉ ଦେଢ଼ବର୍ଷ ଅର୍ଥାତ୍ ଆସନ୍ତା ୨୦୨୬ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଘରୋଇ ଡିଲରମାନଙ୍କ କାର୍ଯ୍ୟକାଳ ଚଳିତବର୍ଷ ସେପ୍ଟେମ୍ବର ୩୦ତାରିଖରେ ଶେଷ ହେଉଛି । ସମସ୍ତ ଘରୋଇ ଡିଲାରଙ୍କୁ ଏକକାଳୀନ ଉଚ୍ଛେଦ କରିବାରେ ପ୍ରଶାସନିକ ଅସୁବିଧା ଓ ସାଧାରଣ ବଂଟନରେ ଅବ୍ୟବସ୍ଥାର ଆଶଙ୍କା ରହିଥିବାରୁ ସେମାନଙ୍କ କାର୍ଯ୍ୟକାଳ ଆସନ୍ତା ୨୦୨୬ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ୨୦୧୫ ନଭେମ୍ବର ମାସରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ କାର୍ଯ୍ୟକାରୀ ହେଉଛି ଓ ଏହି ଆଇନରେ ୬ମାସ ମଧ୍ୟରେ ଘରୋଇ ଡିଲର ବ୍ୟବସ୍ଥା ଉଚ୍ଛେଦ ପାଇଁ ପ୍ରାବଧାନ ଥିଲେ ମଧ୍ୟ ରାଜ୍ୟ ସରକାର ସେମାନଙ୍କ କାର୍ଯ୍ୟକାଳ ବାରମ୍ବାର ବଢ଼ାଇ ଚାଲିଛନ୍ତି । ବିଜେଡି ସରକାର ଏହି ଘରୋଇ ଡିଲରଙ୍କ କାର୍ଯ୍ୟକାଳକୁ ଥରକରେ ୬ମାସରୁ ଏକବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରୁଥିବାବେଳେ ବିଜେପି ସରକାର ଆଜି ଦେଢ଼ବର୍ଷ ପାଇଁ ବଢ଼ାଇ ଦେଇଛନ୍ତି । ରାଜ୍ୟରେ ସାଧାରଣ ବଂଟନ ବ୍ୟବସ୍ଥାରେ ମୋଟ ୧୧୯୩୧ଟି ସୁଲଭ ମୂଲ୍ୟ ଦୋକାନ ରହିଛି । ସେଥିରୁ ୫୨୯୧ଟି ଘରୋଇ ଡିଲରଙ୍କ ଦ୍ୱାରା ପରିଚାଳିତ ହେଉଛି । ଆନୁଷ୍ଠାନିକ ଖାଉଟି ଡିଲର କେନ୍ଦ୍ର ଯଥା-ପଂଚାୟତ ଦ୍ୱାରା ପରିଚାଳିତ ୪୦୨୮ଟି , ମହିଳା ଏସଏଚଜିଙ୍କ ଦ୍ୱାରା ୨୧୬୧ଟି, ଏସଏଚଜିଙ୍କ ଦବାରା ୧୬୧ଟି , ସେବା ସମବାୟ ସମିତି ଦ୍ୱାରା ୨୪୬ଟି ଓ ଅନ୍ୟାନ୍ୟ ସଂସ୍ଥା ଦ୍ୱାରା ୪୨ଟି ସୁଲଭ ମୂଲ୍ୟ ଦୋକାନ ପରିଚାଳିତ ହେଉଛି ।

Exit mobile version