Site icon ଆଜିକାଲି

ବେଗ ଉପରେ ଲାଗିଲା ରୋକ୍‌, ଏଣିକି ୪୦ କିଲୋମିଟରରୁ ଅଧିକ ବେଗରେ ଗଡ଼ିବନି ମୋ ବସ୍

ଭୁବନେଶ୍ୱର : ମୋ ବସ୍ ବେଗ ଉପରେ ଲାଗିଲା ରୋକ୍‌ । ଏଣିକି ୪୦ କିଲୋମିଟରରୁ ଅଧିକ ବେଗରେ ଗଡ଼ିବନି ମୋ ବସ୍‌। ରାଜ୍ୟର ବିଭିନ୍ନ ସ୍ଥାନରେ ମୋ ବସ୍‌ ଦୁର୍ଘଟଣା ଘଟାଇବା ନେଇ ଜନଅସନ୍ତୋଷ ବଢ଼ିବାରୁ ରାଜ୍ୟ ସରକାର ସଜାଗ ହୋଇଛନ୍ତି। ବିଶେଷକରି ଭୁବନେଶ୍ଵର ଚନ୍ଦ୍ରଶେଖରପୁରଠାରେ ନିକଟରେ ଏକ ମୋ ବସ ଦୁର୍ଘଟଣାରେ ଯୁବତୀଙ୍କ ହାତ କଟିବା ଘଟଣା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ବସ୍‌ଗୁଡ଼ିକର ବେଗ ନିୟନ୍ତ୍ରଣ ଲାଗି ସେଥିରେ ସ୍ପିଡ୍‌ ଗଭର୍ଣ୍ଣର ଲଗାଯିବ ବୋଲି ରାଜ୍ୟ ଯୋଗାଣ ଓ ପରିବହନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ସ୍ପିଡ୍‌ ଗଭର୍ଣ୍ଣର ଲଗାଯିବା ପରେ ଘଣ୍ଟାପ୍ରତି ୪୦ କିଲୋମିଟରରୁ ଅଧିକ ବେଗରେ ଗଲେ ବସରେ ସାଇରନ ବାଜିବ। ଏ ନେଇ ଅପରେଟରଙ୍କ ନିକଟକୁ ସୂଚନା ଯିବ। ଡ୍ରାଇଭର ବେପରୁଆ ଗାଡ଼ି ଚାଳନା କଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏହା ସହିତ ଡ୍ରାଇଭର ଗାଡ଼ିକୁ ଉଠିବା ପୂର୍ବରୁ ମଦ୍ୟପାନ କରିଛନ୍ତି କି ନାହିଁ ତାହା ପରୀକ୍ଷା କରାଯିବ। ସରକାରଙ୍କ ଏହି ନିୟମ ଅମାନିଆ ଡ୍ରାଇଭରଙ୍କୁ ସାବାଡ଼ କରିବ ବୋଲି କୁହାଯାଉଛି।

Exit mobile version