Site icon ଆଜିକାଲି

ଓଡ଼ିଶା ସ୍ଵାସ୍ଥ୍ୟ ବିଜ୍ଞାନ ବିଶ୍ଵବିଦ୍ୟାଳୟ ବିଲ୍ଡିଂ ଉଦଘାଟିତ

ଭୁବନେଶ୍ୱର – ଓଡ଼ିଶା ସରକାରଙ୍କ ଦ୍ଵାରା ନିର୍ମିତ ହୋଇଥିବା ଅସ୍ଥାୟୀ କ୍ୟାମ୍ପସ୍ କୋଠାର ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବା ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓଡ଼ିଶା ସ୍ଵାସ୍ଥ୍ୟ ବିଜ୍ଞାନ ବିଶ୍ଵବିଦ୍ୟାଳୟ ବିଲଡିଂକୁ ଉଦ୍‌ଘାଟନ କରିଛନ୍ତି । ଆଜି ଏହି ଅବସରରେ ବିଶ୍ଵବିଦ୍ୟାଳୟର କାର୍ଯ୍ୟର ସୁପରିଚାଳନା ପାଇଁ ଇ – ଅଫିସ୍ ଉଦ୍‌ଘାଟିତ ହେବା ସହ ପ୍ରଥମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି ।

ସୂଚନାଯୋଗ୍ୟ ଯେ ‘ ଓଡ଼ିଶା ସ୍ଵାସ୍ଥ୍ୟ ବିଜ୍ଞାନ ବିଶ୍ଵବିଦ୍ୟାଳୟ ଆଇନ ’ ୨୦୨୧ରେ ବିଧାନସଭାରେ ପାରିତ ହୋଇ ୫ ମାର୍ଚ୍ଚ ୨୦୨୩ରୁ ଏକାମ୍ର କ୍ଷେତ୍ର ଶିଶୁଭବନ ଛକରେ କାର୍ଯ୍ୟ ଆରମ୍ଭ କରିଥିଲା । ରାଜ୍ୟରେ ମେଡିକାଲ ଏବଂ ସହଯୋଗୀ ସ୍ଵାସ୍ଥ୍ୟବିଜ୍ଞାନ ପାଠ୍ୟକ୍ରମକୁ ଶୃଙ୍ଖଳିତ କରିବା ପାଇଁ ଏହି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୪୨ଟି ସ୍ଵାସ୍ଥ୍ୟ ଶିକ୍ଷା ଅନୁଷ୍ଠାନ ଏହି ବିଶ୍ଵବିଦ୍ୟାଳୟ ସହ ଅନୁବନ୍ଧିତ ହେବା ସଙ୍ଗେ ସଙ୍ଗେ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ସହିତ ଅନ୍ୟାନ୍ୟ ପାଠ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଶିକ୍ଷାଦାନ ଆରମ୍ଭ ହୋଇଛି । ୨୦୨୩ – ୨୪ ଶିକ୍ଷାବର୍ଷରୁ ଏମ୍‌ବିବିଏସ୍ , ଏମ୍.ଡି. , ଏମ୍.ଏସ୍ . ଡି.ଏମ୍ , ଏମ୍ସିଏଚ୍ , ବିଡିଏସ୍ , ଏମ୍ଡିଏସ୍ , ବିଏଏମ୍ ଏମ୍ , ବିଏସ୍ଏସ୍ଏସ୍ , ବି.ଏସ୍‌ସି ନର୍ସିଂ , ଏମ୍.ଏସ୍‌ ନର୍ସିଂ , ବିପିଟି , ଏମ୍ପିଟି , ବିଏମ୍ଏଲ୍‌ , ବିଏମ୍‌ଆର୍‌ଟି , ବିଇଏମ୍ଟି , ବିଓଟିଟି , ବିଏଟି , ବିଓ , ବିଓଟି , ଏମ୍ଓଟି , ବି . ଫାର୍ମ , ଏମ୍.ଫାର୍ମ ଇତ୍ୟାଦି ନିର୍ଦ୍ଧାରିତ ନିୟମାବଳୀ ଏବଂ ପାଠ୍ୟକ୍ରମ ଅଧୀନରେ ପରିଚାଳିତ ହେବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଦୂରଦୃଷ୍ଟି ତଥା ରାଜ୍ୟ ସରକାରଙ୍କ ଆନ୍ତରିକ ଉଦ୍ୟମ ଯୋଗୁଁ ଓଡ଼ିଶା ସ୍ଵାସ୍ଥ୍ୟ ବିଜ୍ଞାନ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହୋଇପାରିଛି ବୋଲି କୁଳପତି ପ୍ରଫେସର ଦତ୍ତେଶ୍ଵର ହୋତା କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ସ୍ଵାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ , ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ , ବିଧାୟକ ଡକ୍ଟର ନୃସିଂହ ଚରଣ ସାହୁ ଏବଂ ଡକ୍ଟର ପ୍ରମୋଦ କୁମାର ମଲ୍ଲିକ ଏବଂ ରେଜିଷ୍ଟ୍ରାର ଓଡ଼ିଶା ସ୍ଵାସ୍ଥ୍ୟ ବିଜ୍ଞାନ ବିଶ୍ଵବିଦ୍ୟାଳୟ ସାଇଦତ୍ତ ବିପ୍ଳବ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version