Site icon ଆଜିକାଲି

ଏପ୍ରିଲରୁ ଜୁନ୍‌ ପ୍ରବଳ ତାତି, ସର୍ବାଧିକ ପ୍ରଭାବିତ ରାଜ୍ୟ ତାଲିକାରେ ଓଡ଼ିଶା

ଭୁବନେଶ୍ୱର : ରାଜ୍ୟର ପଶ୍ଚିମା ଝଡ଼ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ଆଉ କିଛିଦିନ ଅନ୍ତରରେ ପାଗରେ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲରୁ ଜୁନ୍‌‌ ମାସ ଯାଏଁ ଯେଉଁ କେତୋଟି ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହେବାର ସମ୍ଭାବନା ରହିଛି, ସେଥି ମଧ୍ୟରେ ସର୍ବାଧିକ ପ୍ରଭାବିତ ରାଜ୍ୟ ତାଲିକାରେ ଓଡ଼ିଶା ରହିଛି। ଏହି ୩ ମାସର ହାରାହାରି ତାପମାତ୍ରା ବିଚାରକୁ ନେଲେ ରାଜ୍ୟବ୍ୟାପୀ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ସେହିପରି ଉତ୍ତର ଉପକୂଳ ଓଡ଼ିଶାର କେତେକ ଜିଲ୍ଲା ସମେତ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ଗୋଟିଏ ଦୁଇଟି ଜିଲାରେ ସର୍ବାଧିକ ତାପମାତ୍ରା ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆଇଏମ୍‌ଡି ପକ୍ଷରୁ ଆସନ୍ତା ଗ୍ରୀଷ୍ମ ପାଇଁ ଜାରି ହୋଇଥିବା ସିଜିନାଲ ଆଉଟଲୁକ୍‌‌ ଫୋରକାଷ୍ଟରେ ଏନେଇ ବିସ୍ତୃତ ତଥ୍ୟ ପ୍ରକାଶ ପାଇଛି। ଆଇଏମ୍‌‌ଡିର ଆକଳନ ଅନୁସାରେ ଦିନରେ ଖରା ତାତି ଓ ରାତିରେ ପ୍ରବଳ ଗରମ ଏଥର ଦେଶବାସୀଙ୍କୁ ଅସ୍ତବ୍ୟସ୍ତ କରିବ। ଏଥିରୁ ଓଡ଼ିଶାବାସୀ ବି ମୁକୁଳି ପାରିବେନାହିଁ। ଦିନ ତ’ ଦିନ ରାତିରେ ବି ଶାନ୍ତିରେ ଟିକେ ଶୋଇ ହେବନାହିଁ। ଦକ୍ଷିଣ ଉପଦ୍ବୀପ ଭାରତ ଓ ଉତ୍ତର-ପଶ୍ଚିମ ଭାରତର କିଛି ଅଞ୍ଚଳକୁ ଛାଡ଼ିଦେଲେ ଦେଶର ଅଧିକାଂଶ ସ୍ଥାନରେ ଏହି ତିନି ମାସରେ ଦିନର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ଢେର୍‌ ଅଧିକ ରହିବ। ସେହିଭଳି ଦେଶର ଅଧିକାଂଶ ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ବି ଅଧିକ ରହିବ। ଉତ୍ତରପୂର୍ବ ଓ ଉତ୍ତରପଶ୍ଚିମ ଭାରତର କିଛି ଅଞ୍ଚଳରେ ରାତି ତାପମାତ୍ରା କିଛିଟା କମ୍‌ ରହିପାରେ।

Exit mobile version