Site icon ଆଜିକାଲି

ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାର ଘୋଷିତ, ବର୍ଷ ୨୦୨୦ ପାଇଁ ପ୍ରଫେସର ସୁଧାକର ପଣ୍ଡା ପାଇବେ ‘ବିଜୁ ପଟ୍ଟନାୟକ ପୁରସ୍କାର’

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗର ଅନୁମୋଦନ କ୍ରମେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ୨୦୨୦ ମସିହା ପାଇଁ ପୁରସ୍କାର ଘୋଷଣା କରାଯାଇଛି । ଜଟଣୀସ୍ଥିତ ‘ ନାଇଜର’ର ନିର୍ଦ୍ଦେଶକ ପ୍ରଫେସର ସୁଧାକର ପଣ୍ଡାଙ୍କୁ ବୈଜ୍ଞାନିକ ଉତ୍କର୍ଷ ପାଇଁ ‘ ବିଜୁ ପଟ୍ଟନାୟକ ପୁରସ୍କାର ’ ପ୍ରଦାନ କରାଯିବ । ପୁରସ୍କାର ବାବଦରେ ତାଙ୍କୁ ୨ ଲକ୍ଷ ଟଙ୍କା ମାନରାଶି ସମେତ ପ୍ରଶସ୍ତିପତ୍ର ଓ ଉପଢୌକନ ପ୍ରଦାନ କରାଯିବ ।

ରେଭେନ୍ସା ବିଶ୍ଵବିଦ୍ୟାଳୟର ଜୀବବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ଲୁନା ସାମନ୍ତ , ଭୁବନେଶ୍ଵରସ୍ଥିତ ଆଇଏମ୍ଏମ୍ଟିର ଭୌତିକ ବିଜ୍ଞାନ ମୁଖ୍ୟ ଡ . ଦଣ୍ଡ ଶ୍ରୀନିବାସ ରାଓ , ରାଉରକେଲାସ୍ଥିତ ଏନ୍‌ଆଇଟିର ପ୍ରଫେସର ଅନୁପ କୁମାର ପଣ୍ଡାଙ୍କ ସମେତ ଲକ୍ଷ୍ନୌସ୍ଥିତ ଜାତୀୟ ଉଦ୍ଭିଦ ବିଜ୍ଞାନ ଗବେଷଣା ସଂସ୍ଥାର ବୈଜ୍ଞାନିକ ଡ . ସରୋଜକାନ୍ତ ବାରିକଙ୍କୁ ‘ ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର ’ ପ୍ରଦାନ କରାଯିବ । ଉପରୋକ୍ତ ଚାରିଜଣଙ୍କୁ ଏକ ଲକ୍ଷ ଟଙ୍କା ମାନରାଶି ସାଙ୍ଗକୁ ପ୍ରଶସ୍ତିପତ୍ର ଓ ଉପଢୌକନ ପ୍ରଦାନ କରାଯିବ । ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରର ଜୀବବିଜ୍ଞାନ ବିଭାଗର ପୋଷ୍ଟ ଡକ୍ଟରାଲ ଫେଲୋ ଡ . ଶଶାଙ୍କ ଶେଖର ସ୍ଵାଇଁ , ନାଇଜରର ଭୌତିକ ବିଜ୍ଞାନ ବିଭାଗର ଡ . ନିବେଦିତା ଦାଶ , ଏନ୍‌ଆଇଟି ରାଉରକେଲାର ସହକାରୀ ପ୍ରଫେସର ଡ . ଜ୍ଞାନରଞ୍ଜନ ସେନାପତି ଓ ନାଇଜରର ଆସିଷ୍ଟାଣ୍ଟ ପ୍ରଫେସର ଡ . ସତ୍ୟପ୍ରସାଦ ପି . ସେନାନାୟକଙ୍କୁ କୃତୀ ଯୁବବୈଜ୍ଞାନିକ ଭାବରେ ପୁରସ୍କୃତ କରାଯିବ । ପ୍ରଫେସର ସଂଗୀତା ରଥ ଓ ହିମାଂଶୁ ଶେଖର ଫତେସିଂହଙ୍କୁ ‘ ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ପୁସ୍ତକ ପୁରସ୍କାର ପ୍ରଦାନ କରାଯିବ । ଯୁବବୈଜ୍ଞାନିକ ପୁରସ୍କାର ଓ ‘ ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ପୁସ୍ତକ ପୁରସ୍କାର ’ ବାବଦରେ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କାର ମାନରାଶି ସାଙ୍ଗକୁ ଉପଢୌକନ ଓ ପ୍ରଶସ୍ତିପତ୍ର ପ୍ରଦାନ କରାଯିବ । ଏହା ବ୍ୟତୀତ ପ୍ରଫେସର ଭାସ୍କର ଚନ୍ଦ୍ର ଦାଶ , ପ୍ରଫେସର ସତ୍ୟାନନ୍ଦ ସ୍ୱାଇଁ ଓ ପ୍ରଫେସର ଅଜୟ କୁମାର ପାତ୍ର ବରିଷ୍ଠ ବୈଜ୍ଞାନିକ ଭାବରେ ସମ୍ବର୍ଦ୍ଧିତ ହେବେ । ଉପରୋକ୍ତ ବୈଜ୍ଞାନିକମାନଙ୍କୁ ନିକଟ ଭବିଷ୍ୟତରେ ଏକ ରାଜ୍ୟସ୍ତରୀୟ ସମାରୋହରେ ପୁରସ୍କୃତ ଓ ସମ୍ବଦ୍ଧିତ କରାଯିବ ।

Exit mobile version