Site icon ଆଜିକାଲି

ଶୀତରେ କମ୍ପୁଛି ସାରା ଓଡ଼ିଶା, ଶିମିଳିପାଳରେ ସର୍ବନିମ୍ନ ତାପମାତ୍ରା ୦ ଡିଗ୍ରୀ ସେଲସିୟସ ରେକର୍ଡ

ଭୁବନେଶ୍ୱର : ଖସୁଛି ପାରଦ । ବଢୁଛି ଜାଡ । ହାଡ଼ ଥରାଇ ଦେଉଛି ଜାଡ଼।  କନ୍ଧମାଳରୁ କଟକ, କୋରାପୁଟରୁ କେନ୍ଦୁଝର, ମୟୂରଭଞ୍ଜରୁ ମାଲକାନଗିରି ଶୀତରେ କମ୍ପୁଛି ସାରା ଓଡ଼ିଶା । ରାତି ବଢ଼ିବା ସହ ଥଣ୍ଡା ହାତଗୋଡ଼କୁ କାଲୁଆ କରି ଦେଉଛି । ଶିମିଳିପାଳ ପାଦଦେଶରେ ପାରଦ ଶୂନ ଡିଗ୍ରୀକୁ ଖସିଛି । କିଛି ସ୍ଥାନରେ ହାଲୁକା ତୁଷାରପାତ ହେଉଛି। ଆଜିଠାରୁ ରାଜ୍ୟରେ କମିପାରେ ଶୀତ ଲହରି । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଶୀତ ପ୍ରଭାବ ହ୍ରାସ ସମ୍ଭାବନା ଥିଲେ ବି ଘନ କୁହୁଡ଼ିର ପ୍ରଭାବ ଜାରି ରହିବ । ଦୁଇ ଦିନ ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । କେତେକ ଉପକୂଳ ସହ ପାର୍ଶ୍ବବର୍ତ୍ତୀ ଜିଲ୍ଲାଗୁଡ଼ିକୁ ଚେତାବନୀ ଜାରି ହୋଇଛି । ଆଜି ପାଇଁ ୧୩ ଜିଲ୍ଲା ଓ ଆସନ୍ତାକାଲି ପାଇଁ ୧୮ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

୨୪ ତାରିଖ ସକାଳ ମଧ୍ୟରେ ଦୃଶ୍ୟମାନ ଦୂରତା ଗୋଟିଏରୁ ଦୁଇଟି ସ୍ଥାନରେ ୨୦୦ ମିଟରରୁ କମ୍ ସହ ଘନ କୁହୁଡ଼ି ସମ୍ଭାବନା ରହିଛି । ଆଗାମୀ ୨-୩ ଦିନରେ ରାତ୍ରି ତାପମାତ୍ରାରେ ୨ରୁ ୩ ଡିିଗ୍ରୀ ଯାଏ ବୃଦ୍ଧି ସମ୍ଭାବନା ରହିଛି । ତାପରେ ଶୀତରୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ ।

ଗତ ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିୟସ୍ ସହ ସବୁଠୁ ଥଣ୍ଡା ସହର ଥିଲା ଜି. ଉଦୟଗିରି । ସେହିପରି ସେମିଳିଗୁଡ଼ାରେ ୫.୭, ଫୁଲବାଣୀରେ ୬.୫ ଓ ସୁନ୍ଦରଗଡ଼ ଜିଲ୍ଲା କିରେଇରେ ରାତିର ତାପମାତ୍ରା ୬.୬ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା ।

ଶୀତରୁ ରକ୍ଷା ପାଇବା ଲାଗି ଲୋକେ ନିଆଁ ଜାଳି ଘଣ୍ଟା ଘଣ୍ଟା ଧରି ବସି ରହୁଛନ୍ତି। ଶିମିଳିପାଳ ଅଭୟାରଣ୍ୟର ଅନେକ ସ୍ଥାନରେ ପ୍ରବଳ ଜାଡ କାରଣରୁ ସକାଳୁ ସକାଳୁ ତୁହିନ ଆସ୍ତରଣ ଦେଖିବାକୁ ମିଳିଛି। 

Exit mobile version