Site icon ଆଜିକାଲି

ରାଜ୍ୟକୁ ଆସୁଛି ଦୁଇ ଲଘୁଚାପ

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଛୁଇଁବା ଦିନଠାରୁ ନିଅଣ୍ଟିଆ ବର୍ଷା ରହିଛି। ଜୁଲାଇ ପ୍ରଥମ ସପ୍ତାହରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ଦ୍ବିତୀୟ ସପ୍ତାହର ମଙ୍ଗଳବାର ସୁଦ୍ଧା ୨୬% ନିଅଣ୍ଟିଆ ବର୍ଷା ହେଲାଣି। ପାଣିପାଗ ବିଶେଷଜ୍ଞଙ୍କ ଆକଳନ କହୁଛି, ଆସନ୍ତା ୯ରୁ ୧୦ଦିନ ରାଜ୍ୟରେ ବିକ୍ଷିପ୍ତ ବର୍ଷା ସମ୍ଭାବନା ରହିଛି। ତୃତୀୟ ସପ୍ତାହରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଥିବାବେଳେ ଚତୁର୍ଥ ସପ୍ତାହରେ କେନ୍ଦ୍ରୀୟ-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିର ସଙ୍କେତ ରହିଛି ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାକଳ କହିଛନ୍ତି।

୧୮ରୁ ୨୧ ତାରିଖ ମଧ୍ୟରେ ସମ୍ଭାବ୍ୟ ଲଘୁଚାପ ଦ୍ବାରା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭଲ ବର୍ଷା ହୋଇପାରେ। ଉତ୍ତର ଓଡ଼ିଶାର କିଛି ଅଞ୍ଚଳ ଏବଂ ଉପକୂଳରେ କମ୍‌ ବର୍ଷିବା ସମ୍ଭାବନା ରହିଛି। ଚତୁର୍ଥ ସପ୍ତାହରେ କେନ୍ଦ୍ରୀୟ-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇ ଆନ୍ଧ୍ର-ଓଡ଼ିଶା ଉପକୂଳ ଆଡକୁ ମୁହାଁଇ ପାରେ। ପରେ ଏହା ଘନୀଭୂତ ହୋଇ ଅବପାତ ରୂପ ନେଇପାରେ। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାକୁ ଥିବାବେଳେ ଆନ୍ଧ୍ରପ୍ରଦେଶରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।

Exit mobile version