ଭୁବନେଶ୍ବର : ରାଜ୍ୟରେ ଆସନ୍ତା ୪ ଦିନରେ ରାଜ୍ୟର ତାପମାତ୍ରା ଆହୁରି ବଢ଼ିବ। ପାଖାପାଖି ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଧୀରେଧୀରେ ଦିନ ତାପମାତ୍ରା ବଢ଼ିବ। ୧୩ରୁ ୧୫ ତାରିଖ ଯାଏ ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲାରେ ଗ୍ରୀଷ୍ମପ୍ରବାହ ପାଇଁ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା ୧୩ ତାରିଖ ପାଇଁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲାରେ ଗ୍ରୀଷ୍ମ ପ୍ରବାହଜନିତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ୧୪ ତାରିଖ ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲା ଏବଂ ୧୫ ତାରିଖ ପାଇଁ ଦେବଗଡ଼, ଅନୁଗୁଳ, ବୌଦ୍ଧ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲା ପାଇଁ ପାଣିପାଗ କେନ୍ଦ୍ର ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ଏଣୁ ଏହି ସମୟରେ ଅତ୍ୟଧିକ ଖରାକୁ ନ ଯିବା, ଘରୁ ବାହାରିଲେ ପାଣିବୋତଲ, ଛତା ଓ ଓଦା କପଡ଼ା ନେଇ ଯିବା ଏବଂ ଅସୁସ୍ଥ, ବୃଦ୍ଧ ଓ ଶିଶୁଙ୍କୁ ଖରାଠାରୁ ଦୂରେଇ ରଖିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ଏହାବ୍ୟତୀତ, ଶରୀରରୁ ଜଳୀୟ ଅଂଶ କମି ଯିବାର ସମ୍ଭାବନା ଥିବାରୁ ପ୍ରଚୁର ଲେମ୍ବୁ ପାଣି, ତୋରାଣି, ଘୋଳ ଦହି, ଆଖୁ ରସ, ପଇଡ଼, ବେଲପଣା, ଓଆର୍ଏସ୍ ଓ ଲସି ଇତ୍ୟାଦି ପିଇବାକୁ ପାଣିପାଗ ବିଭାଗ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି। ଆଖୁ, ଗ୍ରୀଷ୍ମକାଳୀନ ମକା ଓ ଡାଲିଜାତୀୟ ଶସ୍ୟରେ ଜଳସେଚନ ଜାରି ରଖିବାକୁ କୃଷକମାନଙ୍କୁ ପରାମର୍ଶ ଦିଆଯାଇଛି।