Site icon ଆଜିକାଲି

ଏଥର ଓଡ଼ିଶାରେ ହେବ ସ୍ବାଭାବିକ ବର୍ଷା : ଆଇଏମ୍‌ଡି

ଭୁବନେଶ୍ବର : ଏଥର ମୌସୁମୀରେ ଏଲ୍‌ନିନୋ ପ୍ରଭାବରେ ଦେଶରେ କମ୍‌ ବର୍ଷା ନେଇ ଯେଉଁ ଆଶଙ୍କା ଦେଖାଦେଇଥିଲା, ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ଆକଳନ ତାହାକୁ ଭୁଲ୍‌ ପ୍ରମାଣିତ କରିଛି। ଆଇଏମ୍‌ଡି କହିଛି, ଏବର୍ଷ ଜୁନ୍‌ରୁ ‌ସେପ୍ଟେମ୍ବର ମଧ୍ୟ‌ରେ ଭାରତର ଅଧିକାଂଶ ସ୍ଥାନ ଯଥା ଉପଦ୍ବୀପ ଅଞ୍ଚଳ, ସଂଲଗ୍ନ ପୂର୍ବ ଓ ଉତ୍ତରପୂର୍ବ ଭା‌ରତ ଓ ଉତ୍ତର-ପଶ୍ଚିମ ଭାରତର କିଛି କିଛି ଅଞ୍ଚଳରେ ବର୍ଷା ସ୍ବାଭାବିକ ରହିବ। ଅର୍ଥାତ୍‌ ଓଡ଼ିଶାରେ ମଧ୍ୟ ସ୍ବାଭାବିକ ବର୍ଷା ହେବ। ଦେଶରେ ସ୍ବାଭାବିକ ବର୍ଷା ୯୬% (୫% କମ୍‌ ବା ଅଧିକ)ହେବ। ତେବେ ଉତ୍ତର-ପଶ୍ଚିମ ଭାରତ, ପଶ୍ଚିମ, କେନ୍ଦ୍ରୀୟ ଓ ଉତ୍ତରପୂର୍ବ ଭାରତରେ ମୌସୁମୀ ବର୍ଷାର ପରିମାଣ ସ୍ବାଭାବିକ କିମ୍ବା ଏହାଠାରୁ କମ୍‌ ରହିବ ବୋଲି ଆଇଏମ୍‌ଡି ପକ୍ଷରୁ ଆକଳନ କରାଯାଇଛି।

ଅନ୍ୟପଟେ ଆସନ୍ତା ‌ମୌସୁମୀରେ ଦେଶରେ ଏଲ୍‌ନିନୋ (ପ୍ରଶାନ୍ତ ମହାସାଗରର ଏକ ଜଳବାୟୁ ପ୍ରକ୍ରିୟା) ସକ୍ରିୟ ହେବାକୁ ଯାଉଛି। ମୌସୁମୀର ଦ୍ବିତୀୟାର୍ଦ୍ଧରେ ଏହାର ପ୍ରଭାବ ଅନୁଭୂତ ହେବ। ସାଧାରଣତଃ ଏଲ୍‌ନିନୋ ବର୍ଷଗୁଡ଼ିକରେ ବର୍ଷା କମ୍‌ ହେଉଥିବା‌ ଧାରଣା ରହିଥିବା ବେଳେ ଆଇଏମ୍‌ଡି ଏହାକୁ ଖଣ୍ଡନ କରିଛି। ଆଇଏମ୍‌ଡି କହିଛି, ସବୁ ଏଲ୍‌ନିନୋ ବର୍ଷଗୁଡ଼ିକରେ ନିଅଣ୍ଟିଆ ବର୍ଷା ହୋଇନଥାଏ। ୧୯୫୧ରୁ ୨୦୨୨ ମସିହା ମଧ୍ୟରେ ଏଲ୍‌ନିନୋ ବର୍ଷଗୁଡ଼ିକର ୪୦% ଭାଗ ସ୍ବାଭାବିକ ବା ଏହାଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି।

Exit mobile version