Site icon ଆଜିକାଲି

ଓଡ଼ିଶା ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ କଟକରୁ ନିଖୋଜ

କଟକ : ଓଡ଼ିଶା ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ କଟକରୁ ନିଖୋଜ ହୋଇଥିବା ସୂଚନା ମିଳିଛି । ଏକ ହୋଟେଲରୁ ସେ ନିଖୋଜ ହୋଇଯାଇଛନ୍ତି । ଆଠଗଡ ଜଙ୍ଗଲରେ ରାଜଶ୍ରୀଙ୍କ ଆକ୍ଟିଭା ଓ ହେଲମେଟ୍ ମିଳିଛି । ସେ ନିଖୋଜ ହୋଇଯାଇଥିବା ନେଇ ମଙ୍ଗଳାବାଗ ଥାନାରେ ତାଙ୍କ କୋଚ ଏତଲା ଦେଇଛନ୍ତି। ଟିମ୍ ଚୟନରୁ ରାଜଶ୍ରୀଙ୍କୁ ବାଦ୍ ଦିଆଯାଇଥିଲା । ପୁରୀ ରାମଚଣ୍ଡୀ ବାସିନ୍ଦା ହେଉଛନ୍ତି ରାଜଶ୍ରୀ ।

କ୍ୟାମ୍ପରେ ନିଜର ଦକ୍ଷତା ପରୀକ୍ଷା ଦେବାକୁ ଆସି ଟିମ୍‌ରୁ ବାଦ୍‌ ପଡ଼ିବା ପରେ ରାଜଶ୍ରୀ ଅନ୍ତର୍ଦ୍ଧାନ ହୋଇଯିବା ଖବର ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ସମେତ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତାଙ୍କ ମୋବାଇଲ୍‌ ନମ୍ବର ସୁଇଚ୍‌ଡ୍‌ ଅଫ୍‌ ରହିଥିବା ବେଳେ ତାଙ୍କ କଳା ରଙ୍ଗର ଆକ୍ଟିଭା ସ୍କୁଟି ଏବଂ ହେଲ୍‌ମେଟ୍‌ ଆଠଗଡ଼ ବନଖଣ୍ଡ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ କପୁରସିଂରୁ ବ୍ରାହ୍ମଣବସ୍ତ ରାସ୍ତାର ତାଳଧଣ୍ଡି ରାସ୍ତାରେ ଏକ ଜଙ୍ଗଲ ନିକଟରୁ ମିଳିଛି । ଗାଡ଼ି ଏବଂ ହେଲମେଟ୍‌ ମିଳିଥିଲେ ହେଁ ରାଜଶ୍ରୀଙ୍କର ସନ୍ଧାନ ମିଳିପାରିନାହିଁ । ରାଜଶ୍ରୀଙ୍କ ପତ୍ତା ନମିଳିବା ଘଟଣା ଓସିଏ କର୍ମକର୍ତ୍ତାଙ୍କୁ ଅଡ଼ୁଆରେ ପକାଇବା ସହ ସାଥୀ ଖେଳାଳି ଏବଂ ପରିବାର ଲୋକଙ୍କୁ ଆଶଙ୍କାରେ ଛନ୍ଦିଛି । ଓସିଏ ପକ୍ଷରୁ ମହିଳା କ୍ରିକେଟ୍‌ ଟିମ୍‌ କୋଚ୍‌ ପୁଷ୍ପାଞ୍ଜଳି ବାନାର୍ଜୀ ଗତକାଲି ରାତିରେ ଏନେଇ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିବା ସୂଚନା ମିଳିଛି । ଏତଲା ଆଧାରରେ ପୁଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ସୁଧାଂଶୁ ଜେନା କହିଛନ୍ତି ।

Exit mobile version