Site icon ଆଜିକାଲି

ପରଲୋକରେ ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦ

ଭୁବନେଶ୍ୱର : ଲୋକପ୍ରିୟ ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦଙ୍କ ୪୭ ବର୍ଷ ବୟସରେ ପରଲୋକ। ହାଇଦ୍ରାବାଦର ଯଶୋଦା ମେଡ଼ିକାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ବୁଧବାର ରାତି ୧୧ଟା ୨୫ ମିନିଟ ସମୟରେ ପରଲୋକ ଘଟିଥିବା ସୂଚନା ମିଳିଛି। ସେ କିଛିଦିନ ହେବ ଲିଭର୍ ସିରୋସିସ୍‌ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ଲିଭର ପ୍ରତିରୋପଣ ଆଶାରେ ତାଙ୍କୁ ହାଇଦ୍ରାବାଦ ନିଆଯାଇଥିଲା। କିନ୍ତୁ ଏଥିପାଇଁ ୫୦ ଲକ୍ଷ ଟଙ୍କା ଆବଶ୍ୟକ ଥିବାରୁ ତାଙ୍କର ଚିକିତ୍ସା ବିଳମ୍ବିତ ହୋଇ ଚାଲିଥିଲା। ଓଲିଉଡ୍‌ର ଅନେକ କଳାକାର ତାଙ୍କୁ ସହାୟତା ଦେବା ପାଇଁ ଆଗକୁ ଆସିଥିଲେ ବି ମିଳିଥିବା ସହାୟତା ରାଶି ପର୍ଯ୍ୟାପ୍ତ ନଥିଲା। ପିଣ୍ଟୁ ନନ୍ଦଙ୍କର ପତ୍ନୀ ଓ ଦୁଇ ପୁଅ ଅଛନ୍ତି। ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଗଭୀର ଶୋକ ପ୍ରକାଶ ପାଇଛି।

ସୂଚନା ଯେ, କୋଇଲି ଚଳଚ୍ଚିତ୍ର ଜରିଆରେ ଓଲିଉଡରେ ପାଦ ଦେଇଥିବା ପିଣ୍ଟୁ ନନ୍ଦ ରଙ୍ଗ ନମ୍ବର, ପ୍ରେମ ଋତୁ ଆସିଲାରେ, ଦୋସ୍ତି, ହାତ ଧରି ଚାଲୁ ଥା ଭଳି ଅନେକ ଚଳଚ୍ଚିତ୍ରରେ ସଫଳତାର ସହ ଅଭିନୟ କରିଥିଲେ। ଓଡ଼ିଆ ଆଲବମ୍‌ ଗୀତରେ ଅଭିନୟ କରି ସେ ସର୍ବାଧିକ ଲୋକପ୍ରିୟତା ହାସଲ କରିଥିଲେ। ହେ ଗୌରା… ଗୀତରେ ଅଭିନୟ ପାଇଁ ତାଙ୍କୁ ଦର୍ଶକ ଏବେ ବି ମନେ ରଖନ୍ତି।

Exit mobile version