Site icon ଆଜିକାଲି

ରବିବାର ୩ ରଥର ହେବ ଦକ୍ଷିଣମୋଡ, ଆରମ୍ଭ ହେବ ବାହୁଡା ଯାତ୍ରା ପ୍ରସ୍ତୁତି

ପୁରୀ : ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ରବିବାର ହେବ ୩ ରଥର ଦକ୍ଷିଣମୋଡ । ପୂଜାପଣ୍ଡା ସାମନ୍ତଙ୍କ ଆଜ୍ଞାମାଳ ଆସିବା ପରେ ଟଣାଯିବ ରଥ । ନାକଚଣା ଦ୍ୱାର ନିକଟକୁ ଅଣାଯିବ ରଥ । ବର୍ତ୍ତମାନ ଚାଲିଛି ୩ ରଥର ଯାଞ୍ଚ । ରଥ ବୈଷୟିକ କମିଟିଙ୍କ ସହ ୩ ରଥର ବିଶ୍ୱକର୍ମା ରଥ ଯାଞ୍ଚ କରୁଛନ୍ତି । ଏହାପରେ ଆରମ୍ଭ ହେବ ବାହୁଡା ପ୍ରସ୍ତୁତି ।

ସୂଚନା ଥାଉକି, ମହାପ୍ରଭୁଙ୍କ ନବଦିନାତ୍ମକ ଘୋଷଯାତ୍ରାର ଶନିବାର ପଞ୍ଚମ ଦିନ । ହେରାପଞ୍ଚମୀ ତିଥୀ ଥିବାରୁ ନନ୍ଦିଘୋଷ ରଥ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ । ଅଭିମାନିନୀ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଶରଧାବାଲିରେ ନନ୍ଦିଘୋଷ ରଥର କାଠ ଭାଙ୍ଗିବେ । ଏହାପରେ ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ବାରକୁ ନିଆଯିବ ।

ଦୀର୍ଘଦିନ ଧରି ମହାପ୍ରଭୁଙ୍କ ସହ ମହାଲକ୍ଷ୍ମୀଙ୍କ ସାକ୍ଷାତ ହୋଇନାହିଁ । ମହାଲକ୍ଷ୍ମୀ ବ୍ୟସ୍ତ ବିବ୍ରତ ହୋଇପଡିଛନ୍ତି । ହେରାପଞ୍ଚମୀ ଦିନ ଅର୍ଥାତ୍ ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ । ଏହା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପରେ ବିରାଜିତ ଶ୍ରୀଜିଉମାନଙ୍କୁ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରାଯାଇଛି ।

Exit mobile version