Site icon ଆଜିକାଲି

ପୁରୀ ହବିଷ୍ୟାଳି କେନ୍ଦ୍ରରେ ରହିବା ପାଇଁ ଅନଲାଇନରେ କରିବାକୁ ପଡିବ ଆବେଦନ

ପୁରୀ : ଚଳିତ ବର୍ଷ କାର୍ତ୍ତିକ ହବିଷ୍ୟାଳୀ ବ୍ରତ ବା ରାଇଦାମୋଦର ବ୍ରତ ପାଇଁ ଆବେଦନ ପ୍ରକ୍ରିୟା କେବଳ ଅନଲାଇନ ମାଧ୍ୟମରେ ଗ୍ରହଣ କରାଯିବ। ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏନେଇ ସୂଚନା ଦେଇଛନ୍ତି।

ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ହବିଷ୍ୟାଳୀ ମା’ ମାନେ ମାସେ ଧରି ବିଭିନ୍ନ ହବିଷ୍ୟାଳୀ କେନ୍ଦ୍ର ମାନଙ୍କରେ ରହିବାକୁ ଥିବାରୁ ସେମାନଙ୍କ ସୁସ୍ଥ ଓ ସୁରକ୍ଷିତ ରହଣି ବ୍ୟବସ୍ଥା, ସ୍ନାନ, ପ୍ରାତଃ ରୁ ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ, ସଂଧ୍ୟାରେ ଭଜନ, କୀର୍ତ୍ତନ ବ୍ୟବସ୍ଥାକୁ ସୁ ନିୟନ୍ତ୍ରିତ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ସେହିପରି ସ୍ୱାସ୍ଥ୍ୟ ସେବା, ସ୍ବେଚ୍ଛାସେବୀ ନିୟୋଜନ, ମହାପ୍ରଭୁଙ୍କ ଦର୍ଶନ ପାଇଁ ଗାଡ଼ି ବ୍ୟବସ୍ଥା, ଶୃଙ୍ଖଳା ରକ୍ଷା, ପରିମଳ ବ୍ୟବସ୍ଥା, ବିଦ୍ୟୁତ ଯୋଗାଣ, ଅଗ୍ନିଶମ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା ଇତ୍ୟାଦି ଅଗ୍ରାଧିକାର ଭିତ୍ତିରେ କରାଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଚଳିତ ବର୍ଷ ପ୍ରାୟ ୨୫୦୦ ସଂଖ୍ୟକ ହବିଷ୍ୟାଳୀ ମା’ ମାନଙ୍କ ରହଣି ବ୍ୟବସ୍ଥା କରାଯିବ। ସମସ୍ତ ଆବେଦନ ଅନଲାଇନ ମାଧ୍ୟମରେ ଗ୍ରହଣ କରାଯିବ। ଏ ସମ୍ପର୍କିତ ବିଜ୍ଞାପନ ଖବରକାଗଜ ମାନଙ୍କରେ ଖୁବଶୀଘ୍ର ପ୍ରକାଶିତ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ, ପୁରୀ ପୌର ନିର୍ବାହୀ ଅଧିକାରୀ, ଉପ ଜିଲ୍ଲାପାଳ, ସିଡିଏମଓ ସହକାରୀ ପର୍ଯ୍ୟଟନ ଅଧିକାରୀଙ୍କ ସହ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

Exit mobile version