Site icon ଆଜିକାଲି

ପରିବର୍ଦ୍ଧିତ କାଳିଆ ଛାତ୍ରବୃତ୍ତି ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା

ଭୁବନେଶ୍ବର -୨୦୨୩-୨୪ ଶିକ୍ଷାବର୍ଷ ପାଇଁ ପରିବର୍ଦ୍ଧିତ କାଳିଆ ଛାତ୍ରବୃତ୍ତି ପାଇଁ ଆଜିଠାରୁ ଅନଲାଇନ ଆବେଦନ ଆରମ୍ଭ ହେଉଛି। ଅନଲାଇନ ଆବେଦନର ସମୟସୀମା ଚଳିତମାସ ୩୧ ତାରିଖ ଯାଏଁ ରହିଛି । ଛାତ୍ରଛାତ୍ରୀମାନେ www.scholarship.odisha.gov.in କମନ୍‌ ସ୍କଲାରସିପ୍‌ ପୋର୍ଟାଲରେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ ।

ସୂଚନାଯୋଗ୍ୟ ଯେ, ଉଚ୍ଚଶିକ୍ଷା ନିମନ୍ତେ କାଳିଆ ଯୋଜନା ହିତାଧିକାରୀଙ୍କ ପିଲାମାନଙ୍କୁ ଦିଆଯାଉଥିବା କାଳିଆ ଛାତ୍ରବୃତ୍ତିକୁ ପରିବର୍ଦ୍ଧିତ କରାଯାଇଛି । କାଳିଆ ଛାତ୍ରବୃତ୍ତି ଯେପରି ଅଧିକ ଉପଯୋଗୀ ହେବ ଏବଂ ଏହା ଦ୍ୱାରା ଯେପରି ଅଧିକ ପିଲା ଉପକୃତ ହୋଇପାରିବେ, ସେଥି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଆବଶ୍ୟକ ସଂଶୋଧନ କରାଯାଇଛି । ସଂଶୋଧିତ କାଳିଆ ଛାତ୍ରବୃତ୍ତି ମାର୍ଗଦର୍ଶିକା ଅନୁସାରେ ବୃତ୍ତିଗତ କିମ୍ବା ବୈଷୟିକ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ନିମନ୍ତେ ରାଜ୍ୟ ଓ ରାଜ୍ୟ ବାହାରର ପ୍ରିମିୟର ସରକାରୀ ଶିକ୍ଷାନୁଷ୍ଠାନ ସମେତ ରାଜ୍ୟର ଅଲ୍‌ଇଣ୍ଡିଆ ସର୍ଭେ ଅନ୍‌ ହାୟାର ଏଜୁକେସନ୍‌ କୋଡ଼ ପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ସାମିଲ କରାଯାଇଛି । ପୂର୍ବରୁ ସରକାରୀ ଶିକ୍ଷାନୁଷ୍ଠାନର ବୃତ୍ତିଗତ କିମ୍ବା ବୈଷୟିକ ଶିକ୍ଷାରେ ଗ୍ରାଜୁଏସନ୍‌ ପାଠ୍ୟକ୍ରମ, ଏମ୍‌ବିବିଏସ୍‌, ବିଡ଼ିଏସ୍‌, ବିଏଚ୍‌ଏମ୍‌ଏସ୍‌, ବି. ଫାର୍ମା, ବିଏସ୍‌ସି (ନର୍ସିଂ), ପିବିବିଏସ୍‌ସି ନର୍ସିଂ, ବିଏସ୍‌ସି (ସମ୍ମାନ) କୃଷି, ବିଭିଏସ୍‌ସି ଆଣ୍ଡ ଏଏଚ୍‌, ବିଏସ୍‌ସି (ସମ୍ମାନ) ଉଦ୍ୟାନ କୃଷି, ବିଏସ୍‌ସି (ସମ୍ମାନ) ଫରେଷ୍ଟ୍ରି, ବିଏସ୍‌ସି (ଫିସରିଜ୍‌ ସାଇନ୍ସ), ବିଏସ୍‌ସି (କମୁ୍ୟନିଟି ସାଇନ୍ସ), ବିଟେକ୍‌ (ଏଗ୍ରି ଇଞ୍ଜିନିୟରିଂ), ବି.ଟେକ୍‌/ବି.ଇ ସାମିଲ ଥିଲା । ବର୍ତ୍ତମାନ ଏହାକୁ ପରିବର୍ଦ୍ଧିତ କରାଯାଇ ବିବିଏ ଓ ବିସିଏ ପାଠ୍ୟକ୍ରମ ସାମିଲ କରାଯିବା ସହିତ ରାଜ୍ୟର ଘରୋଇ ଶିକ୍ଷାନୁଷ୍ଠାନରେ ତତୁଲ୍ୟ ପାଠ୍ୟକ୍ରମ କାଳିଆ ଛାତ୍ରବୃତ୍ତିରେ ସାମିଲ କରାଯାଇଛି ।

ସେହିପରି ବୃତ୍ତିଗତ କିମ୍ବା ବୈଷୟିକ ପାଠ୍ୟକ୍ରମ ଯେପରି ଏମ୍‌.ଟେକ୍‌, ଏମ୍‌ଏସ୍‌ (ଏଗ୍ରି), ଏମ୍‌ଏସ୍‌ସି (ଫରେଷ୍ଟ୍ରି), ମେଡ଼ିକାଲ ସାଇନ୍ସରେ ପିଜି ପାଠ୍ୟକ୍ରମ, ଏମ୍‌ବିଏ, ଏମ୍‌ସିଏ, ଏମ୍‌.ଫାର୍ମ ଏବଂ ତତୁଲ୍ୟ ମାଷ୍ଟର ପ୍ରୋଗ୍ରାମ ପାଠ୍ୟକ୍ରମକୁ ଛାତ୍ରବୃତ୍ତିରେ ଅନ୍ତର୍ଭୁକ୍ତ କରାଯାଇଛି । ପୋଷ୍ଟ ଗ୍ରାଜୁଏଟ୍‌ ପାଠ୍ୟକ୍ରମ ପାଇଁ ସର୍ବାଧିକ ଦୁଇବର୍ଷ ଏବଂ ପି.ଏଚ୍‌.ଡ଼ି କୋର୍ସ ପାଇଁ ୪ ବର୍ଷ ପାଇଁ ବୃତ୍ତି ଦିଆଯିବ । ପି.ଏଚ୍‌.ଡ଼ି ପାଠ୍ୟକ୍ରମଟି ତାଲିକାଭୁକ୍ତ ହୋଇଥିବା ପିଜି ପାଠ୍ୟକ୍ରମ ସହ ସଂପୃକ୍ତ ହୋଇଥିବା ଆବଶ୍ୟକ ଏବଂ ଏହା କେବଳ ରାଜ୍ୟ ଭିତରର ସରକାରୀ ଶିକ୍ଷାନୁଷ୍ଠାନ କ୍ଷେତ୍ର ପାଇଁ ଲାଗୁ ହେବ । ସେହିପରି ଡିପ୍ଲୋମା ପାଠ୍ୟକ୍ରମ ଡି. ଫାର୍ମ, ଡିଏମ୍‌ଏଲ୍‌ଟି, ଡିଏମ୍‌ଆର୍‌ଟି, ଅପଥାଲ୍‌ମିକ୍‌ ଆସିଷ୍ଟାଣ୍ଟ/ସର୍ଜିକାଲ ଅପଥାଲିମିକ୍‌ ଆସିଷ୍ଟାଣ୍ଟ, ଜି.ଏନ୍‌.ଏମ୍‌, ଏ.ଏନ୍‌.ଏମ୍‌, ସାଇକି୍ରୟାଟିକ୍‌ ନର୍ସିଂ, ପଲିଟେକ୍‌ନିକ୍‌ ଆଣ୍ଡ ଏଗ୍ରି ପଲିଟେକ୍‌ନିକ୍‌ ଏବଂ ରାଜ୍ୟର ଆଇଟିଆଇର ବିଭିନ୍ନ ଟ୍ରେଡ୍‌ର ବିଦ୍ୟାର୍ଥୀମାନେ ମଧ୍ୟ କାଳିଆ ଛାତ୍ରବୃତ୍ତି ପାଇବେ ।

Exit mobile version