Site icon ଆଜିକାଲି

ଜମି କିଣାବିକା ପାଇଁ ଅନଲାଇନ ସ୍ଲଟ ବୁକିଂ ଜରୁରୀ

କଟକ : ଜମିଜମା ଇ-ରେଜିଷ୍ଟ୍ରେସନ୍ ବ୍ୟବସ୍ଥାରେ ଏକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି । ଭିଡ଼ ସମସ୍ୟା ଦୂର କରିବା ଲାଗି ଏବେ ଅନଲାଇନ୍ ସ୍ଲଟ୍‌ ବୁକିଂ କରିବାକୁ ପଡ଼ିବ । ସ୍ଲଟ୍ ବୁକିଂ ସମୟରେ ମିଳିଥିବା ସମୟ ଅନୁଯାୟୀ ଜମି ପଞ୍ଜୀକରଣ ହେବ । ଏନେଇ ଆଇଜିଆରଙ୍କ ପକ୍ଷରୁ ଗତକାଲି ଘୋଷଣା କରାଯାଇଛି ।

ଆଇଜିଆରଙ୍କ ଘୋଷଣା ଅନୁସାରେ ଏଣିକି ଜମି କିଣାବିକା ବା ଯେକୌଣସି ସେଲ୍ ଡିଡ୍ ବା ପଞ୍ଜୀକରଣ ପାଇଁ ସବ୍ ରେଜିଷ୍ଟ୍ରାର ଅଫିସରେ ଭିଡ଼ ଲଗାଇବାର ଆବଶ୍ୟକତା ରହିବ ନାହିଁ । ଜମି କିଣାବିକା ପାଇଁ ଅନଲାଇନରେ ଆଗୁଆ ସ୍ଲଟ୍ ବୁକିଂ କରିବାକୁ ପଡ଼ିବ । ସ୍ଲଟରେ ମିଳିଥିବା ସମୟ ଅନୁସାରେ ଜମି ପଞ୍ଜୀକରଣ ହେବ । ଯଦି ଅନଲାଇନରେ ପୂର୍ବରୁ ପଞ୍ଜୀକରଣ କରି ସ୍ଲଟ୍ ନେଇ ନଥିବେ ତେବେ ଜମି କିଣିବା ପାଇଁ ଅନୁମତି ମିଳିବ ନାହିଁ । ବିଶେଷ କ୍ଷେତ୍ରରେ ଅନଲାଇନରେ ପଞ୍ଜୀକରଣ କରାଇ ତତ୍କାଳ ସ୍ଲଟ୍‌ ଦିଆଯିବାର ବ୍ୟବସ୍ଥା ମଧ୍ୟ ରହିବ । ଏଭଳି ନିୟମ କାର୍ଯ୍ୟକାରୀ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହେବାକୁ ଯାଉଛି ।

ଯେକୌଣସି ସ୍ଥାନରେ ଥିଲେ ଜଣେ ଲୋକ ଜମିଜମା କିଣାବିକା ପଞ୍ଜୀକରଣ ପାଇଁ ଅନଲାଇନରେ ଆବେଦନ କରିପାରିବେ । ଅନଲାଇନରେ ପଞ୍ଜୀକରଣ କରୁଥିବା ବ୍ୟକ୍ତିଙ୍କ ସଂପର୍କରେ ଅଧିକାରୀମାନେ କାଗଜପତ୍ର ଯାଞ୍ଚ କରିବାକୁ ପର୍ଯ୍ୟାପ୍ତ ସମୟ ପାଇବେ । ଫଳରେ ଜାଲିଆତି କରି ଜମି କିଣାବିକା ଉପରେ ମଧ୍ୟ ଅଙ୍କୁଶ ଲାଗିପାରିବ । ଏବେ ରାଜ୍ୟର ୨୦୫ଟି ସବ୍ ରେଜିଷ୍ଟ୍ରେସନ୍ କେନ୍ଦ୍ରରେ ଅନଲାଇନ୍ ସ୍ଲଟ୍‌ ବୁକିଂ କରାଯାଉଛି । ମେ’ ୨୩ ତାରିଖ ଦିନ ଏନେଇ ଓଡ଼ିଶା ଗେଜେଟରେ ଏ ସଂପର୍କିତ ନିୟମ ଓ ସୂଚନା ଜାରି କରାଯାଇଛି ।

Exit mobile version