Site icon ଆଜିକାଲି

ରାହୁଲ ଗାନ୍ଧୀ ପ୍ରସଙ୍ଗରେ କଳା ପୋଷାକ ପିନ୍ଧି ବିରୋଧୀ ଦଳଙ୍କ ବିକ୍ଷୋଭ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା ଓ ଆଦାନୀ ପ୍ରସଙ୍ଗରେ ବିରୋଧୀ ଦଳଙ୍କ ହଙ୍ଗାମା ଯୋଗୁଁ ଆଜି ଗୃହକାର୍ଯ୍ୟ ଆରମ୍ଭ ହେବାର କିଛି ମିନିଟ ମଧ୍ୟରେ ହିଁ ଉଭୟ ଗୃହକୁ ମୁଲତବୀ ରଖାଯାଇଛି । ରାଜ୍ୟସଭାକୁ ଅପରାହ୍ନ ୨ଟା ଓ ଲୋକସଭାକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ସାଂସଦମାନେ ଆଦାନୀ ଏବଂ ରାହୁଲ ଗାନ୍ଧୀଙ୍କ ପ୍ରସଙ୍ଗ ନେଇ ମୋଦୀ ସରକାର ବିରୋଧରେ ସ୍ଲୋଗାନ ଦେଇଥିଲେ।

ଉଭୟ ଗୃହ ମୁଲତବୀ ହେବା ପରେ ଆଦାନୀ ଗ୍ରୁପ୍ ଓ ରାହୁଲ ପ୍ରସଙ୍ଗରେ ବିରୋଧୀ ଦଳ ସାଂସଦମାନେ ସଂସଦର ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ କଳା ପୋଷାକ ପିନ୍ଧି ବିରୋଧ ପ୍ରଦର୍ଶନ କରିଥିଲେ। ଏହାପରେ ସେମାନେ ହାତରେ ବ୍ୟାନର ଧରି ଓ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ବିଜୟ ଚୌକ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ଏହି ବିକ୍ଷୋଭରେ ଯୋଗ ଦେଇଥିଲେ।

ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କଂଗ୍ରେସର ସଂସଦୀୟ ପାର୍ଟି କାର୍ଯ୍ୟାଳୟରେ ସବୁ ବିରୋଧୀ ଦଳ ସାଂସଦମାନଙ୍କୁ ନେଇ ଏକ ବୈଠକ ହୋଇଥିଲା। ଏଥିରେ ଡିଏମକେ, ଆରଜେଡି, ଶିବସେନା(ଉଦ୍ଧବ), ଜେଡିୟୁ, ଏନସିପି, ନ୍ୟାସନାଲ କନଫରେନ୍ସ, ଆପ୍, ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି, ଭାରତ ରାଷ୍ଟ୍ର ସମିତି, ଆରଏସପି, ଡିଏମକେ ପ୍ରମୁଖ ବିରୋଧୀ ଦଳ ସାଂସଦ ଯୋଗ ଦେଇଥିଲେ ।

Exit mobile version