Site icon ଆଜିକାଲି

ପ୍ରବଳ ବର୍ଷ ନେଇ ଆଜି ୪ ଜିଲାକୁ ଅରେଞ୍ଜ ଓ ୧୧ ଜିଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର : ପୂର୍ବ ରାଜସ୍ଥାନ ପାର୍ଶ୍ୱବର୍ତୀ ଉତରପଶ୍ଚିମ ମଧ୍ୟପ୍ରଦେଶ ଅଂଚଳରେ କେନ୍ଦ୍ରୀଭୂତ ଅବପାତ ଦୁର୍ବଳ ହୋଇ ଏକ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହି ଅବପାତ ପୂର୍ବ ରାଜସ୍ଥାନ ପାର୍ଶ୍ୱବର୍ତୀ ଉତରପଶ୍ଚିମ ମଧ୍ୟପ୍ରଦେଶ ଅଂଚଳରେ ସକ୍ରିୟ ଥିବା ବେଳେ, ଏହା ପଶ୍ଚିମ ଦିଗରେ ନିଜର ଗତି ପଥ ବଜାୟ ରଖିବା ସହ ଆଜି ଏକ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି । ଏଥିପାଇଁ ପଶ୍ଚିମ ଓଡ଼ିଶାର ୪ ଜିଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୧ଟି ଜିଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି।

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ମିଆଁମାର ଉପକୂଳରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ବାୟୁମଣ୍ଡଳରେ ସମୁଦ୍ର ପତନ ଠାରୁ ୪.୫ ରୁ ୫.୮ କିମି ଉଚ୍ଚରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ବୁଧବାର ଓ ଗୁରୁବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଭ୍ୟନ୍ତରୀଣ ସମେତ ପଶ୍ଚିମ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ। ପଶ୍ଚିମ ଓଡ଼ିଶାର ୪ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିଲାଗି ୪ ଜିଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡା। ଏହି ଜିଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ୭ରୁ ୨୦ସେମି ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୧୧ଟି ଜିଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲାଗୁଡ଼ିକ ହେଲା କେନ୍ଦୁଝର, ଅନୁଗୋଳ, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ। ଏହି ଜିଲା ଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Exit mobile version