Site icon ଆଜିକାଲି

ମିଶନ ଶକ୍ତି ଗୋଷ୍ଠୀ ଓ ବସ୍ତି ବାସିନ୍ଦା ସଂଘ ସମୂହଙ୍କ ପାଇଁ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର : ମୁକ୍ତା – ୫-ଟି ସୁଶାସନ ଅନ୍ତର୍ଗତ ୧୧୫ଟି ପୌରସଂସ୍ଥା ରେ ସହରାଞ୍ଚଳ ମଜୁରୀଭିତ୍ତିକ ନିୟୋଜନ ଯୋଜନା ବ୍ୟାପକ ଭାବରେ କାର୍ଯ୍ୟକାରୀ ହେଉଅଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଓଡିଶା ସରକାର ଅର୍ବାନ ମ୍ୟାନେଜମେଣ୍ଟ୍ ସେଣ୍ଟରର ସହଭାଗିତାରେ ରାଜ୍ୟର ୧୧୫ଟି ପୌରସଂସ୍ଥାରେ ମୁକ୍ତା ଯୋଜନାର ସୁଗମ କାର୍ଯ୍ୟକାରିତା ପାଇଁ ମିଶନ ଶକ୍ତି ଗୋଷ୍ଠୀ ଏବଂ ବସ୍ତି ବାସିନ୍ଦା ସଂଘ ସମୂହର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବ୍ୟାପକ ଭାବରେ କରାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି ।

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କୋଭିଡ-୧୯ ମହାମାରୀ ସମୟରେ ସହରାଞ୍ଚଳ ଗରିବ ଶ୍ରେଣୀର ଲୋକ ଏବଂ ପ୍ରବାସୀ ଶ୍ରମିକମାନଙ୍କର ଦୁର୍ବଳ ଅର୍ଥନୈତିକ ପରିସ୍ଥିତିକୁ ସୁଦୃଢ କରିବା ନିମନ୍ତେ ୧୮ ଏପ୍ରିଲ ୨୦୨୦ ରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନାର ଶୁଭାରମ୍ଭ ହୋଇଥିଲା। ଓଡିଶା ସରକାରଙ୍କର ମୁକ୍ତା ଯୋଜନା ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ, ଯାହାକି ଗୋଷ୍ଠୀ ଦ୍ଵାରା ପରିଚାଳିତ ଏବଂ ନିମ୍ନ ରୁ ଉର୍ଦ୍ଧ୍ଵଗାମୀ କାର୍ଯ୍ୟକାରିତା ପଦ୍ଧତି ପାଇଁ ପ୍ରଭାବଶାଳୀ ସହରାଞ୍ଚଳ ଜୀବିକା ପଦକ୍ଷେପ ଭାବେ ଉଭା ହୋଇପାରିଛି ।

ଓଡିଶା ସରକାର ମୁକ୍ତା ଯୋଜନାରେ ମିଶନ ଶକ୍ତି ଗୋଷ୍ଠୀ ଏବଂ ବସ୍ତି ବାସିନ୍ଦା ସଂଘ ସମୂହର ନିୟୋଜନକୁ ପ୍ରାଧାନ୍ୟ ଦେଇ ଆସିଛନ୍ତି । ରାଜ୍ୟର ୧୧୫ ଟି ପୌରସଂସ୍ଥାର ୨୦୫୫ ୱାର୍ଡରେ ୱାର୍ଡ ଅନୁଯାୟୀ ପ୍ରକଳ୍ପଗୁଡିକ ଚିହ୍ନଟ କରାଯାଇ ସ୍ୱଳ୍ପ ବ୍ୟୟରେ ସ୍ଥାୟୀ ଜଳବାୟୁ ଅନୁକୂଳ ଗୋଷ୍ଠୀ ଭିତ୍ତିକ ପ୍ରକଳ୍ପ ସମୂହ କାର୍ଯ୍ୟକାରୀ କରିବାକୁ ମିଶନ ଶକ୍ତି ଗୋଷ୍ଠୀ ସମୂହକୁ ସଶକ୍ତିକରଣ କରାଯାଇଅଛି ।

ଗତ ୩ ବର୍ଷ ମଧ୍ୟରେ ୭୫୬ କୋଟି ଟଙ୍କା ବ୍ୟୟରେ ପାଖାପାଖି ୫୨,୫୦୦ ପ୍ରକଳ୍ପ ନିର୍ମାଣ କରାଯାଇଅଛି । ଏଥିରେ ପାଖାପାଖି ୬ ଲକ୍ଷ ସହରାଞ୍ଚଳ ଗରିବ ଓ ପ୍ରବାସୀ ଶ୍ରମିକମାନଙ୍କୁ ସିଧାସଳଖ ଲାଭ ପହଞ୍ଚାଇ ୬୨ ଲକ୍ଷରୁ ଅଧିକ ଶ୍ରମ ଦିବସ ସୃଷ୍ଟି କରାଯାଇଅଛି । ସେମାନଙ୍କୁ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ହେଉଛନ୍ତି ମହିଳା ହିତାଧିକାରୀ । ଏହି ଯୋଜନା ଅଧୀନରେ ପ୍ରାୟ ୨୬୦ କୋଟି ଟଙ୍କାର ଦେୟ ମଜୁରୀ ଶ୍ରମିକ ମାନଙ୍କୁ ପ୍ରଦାନ କରାଯାଇଅଛି । ପ୍ରାୟ ୧୮୫୦୦ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ / ବସ୍ତି ବାସିନ୍ଦା ସଂଘ ଏହି ଯୋଜନାରେ ପ୍ରକଳ୍ପ କାର୍ଯ୍ୟ ସଂପାଦାନ ନିମନ୍ତେ ଗୋଷ୍ଠୀ ସହଭାଗୀ ହିସାବରେ କାର୍ଯ୍ୟ କରି ତଦାରଖ ଦେୟ ବାବଦକୁ ପାଖାପାଖି ୨୬ କୋଟି ଟଙ୍କା ଗ୍ରହଣ କରିଛନ୍ତି ।

ରାଜ୍ୟର ୧୧୫ ପୋରସଂସ୍ଥାର ସମସ୍ତ ୩୬୦ ଜଣ ମୁକ୍ତା ପ୍ରଫେସନାଲ୍ ଏବଂ ୬୫ ଡୁଡା ଏକ୍ସପର୍ଟମାନଙ୍କୁ ମାଷ୍ଟର ଟ୍ରେନର ଭାବେ ଚିହ୍ନଟ କରାଯାଇଛି | ଏହି ମାଷ୍ଟର ଟ୍ରେନରମାନେ ୧୧୫ଟି ପୌରସଂସ୍ଥାର ପ୍ରାୟ ୧୦୦୦୦ ମିଶନ ଶକ୍ତି ଗୋଷ୍ଠୀ/ବସ୍ତି ବାସିନ୍ଦା ସଂଘ ସମୂହକୁ ମୁକ୍ତା ଅଧୀନରେ ବିଭିନ୍ନ ପ୍ରକଳ୍ପକୁ ଦକ୍ଷତାର ସହ କାର୍ଯ୍ୟକାରୀ କରିବାକୁ ଆଗାମୀ ଦିନରେ ତାଲିମ ପ୍ରଦାନ କରିବେ ।

୧୧୫ଟି ପୌରସଂସ୍ଥାର ୨୦୫୫ ଟି ୱାର୍ଡରେ ପ୍ରତି ବ୍ୟାଚ୍ ପିଛା ୪୦ ରୁ ୫୦ ମିଶନ ଶକ୍ତି ଗୋଷ୍ଠୀ/ବସ୍ତି ବାସିନ୍ଦା ସଂଘ ସଦସ୍ୟମାନଙ୍କୁ ତାଲିମ ପ୍ରଦାନ କରାଯିବ । ଦକ୍ଷତା ବିକାଶ କାର୍ଯ୍ୟକ୍ରମର ସୁଗମ କାର୍ଯ୍ୟକାରିତା ନିମନ୍ତେ ରାଜ୍ୟର ୧୧୫ଟି ପୌରସଂସ୍ଥାକୁ ୧୨ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ କ୍ଲଷ୍ଟରର ୧୮ଟି ପୌରସଂସ୍ଥାକୁ ଅନ୍ତର୍ଭୁକ୍ତ କରି ଆଜି ମାଷ୍ଟର ଟ୍ରେନରମାନଙ୍କର ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଅଛି । ଓଡିଶା ଅର୍ବାନ ଏକାଡେମୀ, ଭୁବନେଶ୍ଵରରେ ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମ ରେ ସମୁଦାୟ ୬୦ ଜଣ ମୁକ୍ତା ପ୍ରଫେସନାଲ୍ ଏବଂ ଡୁଡା ଏକ୍ସପର୍ଟ ଅଂଶଗ୍ରହଣ କରିଥିଲେ । ସାରଦା ପ୍ରସାଦ ପଣ୍ଡା, ଯୁଗ୍ମ ଶାସନ ସଚିବ-କମ୍-ନୋଡାଲ ଅଫିସର, ମୁକ୍ତା ଏହି ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରିଥିଲେ। ସେ ମୁକ୍ତା ଯୋଜନାର ଏକ ସମୀକ୍ଷା ପ୍ରଦାନ କରିବା ସହ ମୁକ୍ତାର ସଫଳ କାର୍ଯ୍ୟକାରିତା ପାଇଁ ମିଶନ ଶକ୍ତି ଗୋଷ୍ଠୀ/ବସ୍ତି ବାସିନ୍ଦା ସଂଘ ସମୂହକୁ ତାଲିମ ପ୍ରଦାନ ପାଇଁ ମୁକ୍ତା ଟିମର ଭୂମିକା ଉପରେ ଆଲୋକପାତ କରିଥିଲେ |

ତାଲିମ କାର୍ଯ୍ୟକ୍ରମର ଶେଷ ଭାଗରେ ସଂଗ୍ରାମଜିତ୍ ନାୟକ, ନିର୍ଦ୍ଦେଶକ, ପୌର ପ୍ରଶାସନ ତାଲିମ ଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରିଥିଲେ ଏବଂ ସେମାନେ ପାଇଥିବା ଜ୍ଞାନକୁ ସହରାଞ୍ଚଳ ଗରିବ ଙ୍କ ବୃହତ ସ୍ୱାର୍ଥ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ପ୍ରବର୍ତ୍ତାଇଥିଲେ । ପିଡି-ଡୁଡା, ଗଞ୍ଜାମ, ସମସ୍ତ ଡେପୁଟି କମିଶନର ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଭିସି ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

Exit mobile version