ଭୁବନେଶ୍ୱର – ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସିବିଏସଇ ଢାଞ୍ଚାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଓଡିଶା ଆଦର୍ଶ ବିଦ୍ୟାଳୟ ଏକ ଅଭିନବ ପରିକଳ୍ପନା । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷମାନଙ୍କର ଏକ ଦିଗଦର୍ଶନ ତଥା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଟେଲ ସ୍ଵସ୍ତି ପ୍ରିମିଅମ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ଉପେନ୍ଦ୍ର ତ୍ରିପାଠୀ , ବିଦ୍ୟାଳୟ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱଥ୍ ଏସ , ଓଡିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଯାମିନୀ ଷଡ଼ଙ୍ଗୀ ଏବଂ ଓସେପା , ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ଯୋଗ ଦେଇଥିଲେ । ପ୍ରଶିକ୍ଷଣ ସମୟରେ ସିବିଏସଇ ଆଞ୍ଚଳିକ ଅଫିସର କେ. ଶ୍ରୀନିବାସନ ସିବିଏସଇ ସମ୍ବନ୍ଧିତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଆଗାମୀ ସିବିଏସଇ ପରୀକ୍ଷାରେ ବିଦ୍ୟାଳୟମାନଙ୍କର ଉତ୍ତମ ପ୍ରଦର୍ଶନ ନିମନ୍ତେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସଚିବ ଅଶ୍ଵଥ ଏସ୍ ଗୁରୁତ୍ୱାରୋପ କରିଥିଲେ । ଖାନ୍ ଏକାଡେମୀର ଶୁଭ୍ରା ମିତ୍ତଲ ଏବଂ ତାଙ୍କ ସାଥି ମ୍ୟାଥ ଇଂପ୍ରୁଭମେଣ୍ଟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଏହା ସହିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ସମସ୍ତ ବିଭାଗୀୟ ମୁଖ୍ୟଙ୍କ ଦ୍ଵାରା ବିଭାଗୀୟ ସମୀକ୍ଷା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୋଟ ୩୧୫ ଜଣ ଅଧ୍ୟକ୍ଷ ଯୋଗଦେଇଥିଲେ । ପରିଶେଷରେ ଆଇକନିକ ଓଏଭିର ଅଧ୍ୟକ୍ଷ ତନୁଜ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।