Site icon ଆଜିକାଲି

ସଦର ବ୍ଲକ୍ ସ୍ତରୀୟ ଓଷ୍ଟା ଶିଶୁ ଉତ୍ସବ

କେନ୍ଦୁଝର, (ନିପ୍ର) କେନ୍ଦୁଝରସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ମୋଚିବନ୍ଧ ପରିସରରେ ଶନିବାର ସଦର ବ୍ଲକ୍ ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପୂର୍ବାହ୍ନରେ ମୁଖ୍ୟ ଅତିଥି ଭାବେ ଓଷ୍ଟା  କେନ୍ଦୁଝର ସଭାପତି ରଘୁନାଥ ବେହେରା ଯୋଗ ଦେଇ ଶିଶୁ ମେଳାର ଉଦଘାଟନ କରିଥିଲେ।ସଦର ବ୍ଲକ୍ ର ବିଭିନ୍ନ ବିଦ୍ୟାଳୟରୁ ମୋଟ ୮୨ ଜଣ ପ୍ରତିଯୋଗୀ ୧୦ ଟି ବିଭାଗରେ ଅଂଶ ଗ୍ରହଣ କରିଥିଲେ।ଅପରାହ୍ନରେ ଅନୁଷ୍ଠିତ ଉଦଯାପନ ସମାରୋହରେ କେନ୍ଦୁଝର ସଦର ବ୍ଲକ୍ ର ସଭାପତି ଲକ୍ଷ୍ମଣ ସାହୁ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଯାନ୍ତ୍ରିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅରୁଣ ପ୍ରକାଶ କାନୁନଗୋ ଯୋଗ ଦେଇ ଶିଶୁମାନେ ଆସନ୍ତା କାଲିର ଭବିଷ୍ୟତ ବୋଲି ମତବ୍ୟକ୍ତ କରିଥିଲେ।ମୁଖ୍ୟ ବକ୍ତା ଭାବେ କେନ୍ଦୁଝର ଓଷ୍ଟାର ପ୍ରାକ୍ତନ ସଭାପତି ପ୍ରସନ୍ନ କୁମାର ରଥ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କ ଶୈକ୍ଷିକ ବିକାଶରେ ଓଷ୍ଟା ର ଭୂମିକାକୁ ସୂଚିତ କରିଥିଲେ।ସମ୍ମାନିତ ଅତିଥି ରୂପେ କେନ୍ଦୁଝର ଓଷ୍ଟାର ପ୍ରାକ୍ତନ ସମ୍ପାଦକ କ୍ଷୀରୋଦ କୁମାର ରାଉତ ଯୋଗ ଦେଇ ଶିଶୁ ମାନେ ପାଠ ପଢା ସହିତ ସହ ଶିକ୍ଷା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆହ୍ବାନ ଦେଇଥିଲେ।ଅନ୍ୟତମ ସମ୍ମାନିତ ଅତିଥି ରୂପେ କେନ୍ଦୁଝର ଓଷ୍ଟାର ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ମିଶ୍ର ଯୋଗ ଦେଇ ଶିଶୁମାନେ ପ୍ରତିଯୋଗୀ ମନୋଭାବ ନେଇ ବିଦ୍ୟା ଅଧ୍ୟୟନ କରିବାକୁ ମତବ୍ୟକ୍ତ କରିଥିଲେ।ସଦର ବ୍ଲକ୍ ର ସମ୍ପାଦକ ବସନ୍ତ କୁମାର କର ଅତିଥି ପରିଚୟ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରିଥିଲେ।ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଦେବସ୍ମିତା ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିବାବେଳେ ଶିକ୍ଷକ ଅଜ୍ଞାନ କୁମାର ଚାନ୍ଦ ମଞ୍ଚ ପରିଚାଳନା କରିଥିଲେ।ବ୍ଲକ୍ ସ୍ତରରେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀ ଚଳିତ ମାସ ୨୧ ଏବଂ ୨୨ ତାରିଖରେ ଝାଡେଶ୍ୱର ଉଚ୍ଚ ବିଦ୍ୟାଳୟ,ଘଷିପୁରା ରେ ଜିଲ୍ଲା ସ୍ତରୀୟ ଶିଶୁ ମେଳାରେ ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।ଏହି କାର୍ଯ୍ୟକ୍ରମରେ ଶିକ୍ଷକ ବିଜୟ କୁମାର ବେହେରା,ଫଗୁ ଚରଣ ମହାନ୍ତ,ଶାନ୍ତନୁ କୁମାର ମହାପାତ୍ର,ତୃପ୍ତି ମଞ୍ଜରୀ ନାୟକ,ଭାଗ୍ୟଶ୍ରୀ ମହାନ୍ତ,ସୁଷମା ମହାନ୍ତ,ପ୍ରଜ୍ଞା ରଶ୍ମି ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ,ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ।

Exit mobile version