Site icon ଆଜିକାଲି

ଟୁଇନ ସିଟିରେ ଗତ ତିନି ବର୍ଷରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ୧୮୬ କୋଟିରୁ ଅଧିକ ଜରିମାନା ଆଦାୟ

ଭୁବନେଶ୍ୱର : ଗତ ତିନି ବର୍ଷରେ କଟକ ଓ ଭୁବନେଶ୍ୱରରେ ଅମାନିଆ ଗାଡି ଚାଳକଙ୍କଠାରୁ କୋଟି କୋଟି ଟଙ୍କାର ଜରିମାନା ଆଦାୟ କରାଯାଇଛି । ଗତ ୩ ବର୍ଷରେ ଟ୍ରାଫିକ ନିୟମ ଉଲ୍ଲଂଘନ କରି ୧୮୬ କୋଟିରୁ ଅଧିକ ଟଙ୍କାର ଜରିମାନା ଗଣିଛନ୍ତି ଗାଡି ଚାଳକ । ବିଧାନସଭାରେ ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନର ଉତ୍ତର ରଖି ଏହି ସୂଚନା ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ।

ମନ୍ତ୍ରୀଙ୍କ ସୂଚନା ଅନୁସାରେ ଗତ ୩ ବର୍ଷରେ ମୋଟ ୧୮ ଲକ୍ଷ ୫୨ ହଜାର ୩୯୪ ଜଣଙ୍କ ଠାରୁ ବିଭିନ୍ନ ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ୧୮୬ କୋଟିରୁ ଅଧିକ ଟଙ୍କାର ଜରିମାନା ଆଦାୟ କରାଯାଇଛି । ବିନା ହେଲମେଟରେ ଗାଡି ଚଳାଉଥିବା ୮ ଲକ୍ଷ ୬୬ ହଜାର ୪୬୪ ଜଣଙ୍କ ଠାରୁ ୮୫ କୋଟି ୬ ଲକ୍ଷ ୭୨ ହଜାର ୭୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ବିନା ହେଲମେଟରେ ହିଁ ସର୍ବାଧିକ ଜରିମାନା ଆଦାୟ କରାଯାଇଛି ।

ମୋବାଇଲରେ କଥା ହୋଇ ୧୪ ହଜାର ୮୬୫ ଜଣଙ୍କଠାରୁ ୬ କୋଟି ୬୫ ଲକ୍ଷ ୧୨ ହଜାର ୮୦୦ ଟଙ୍କାର ଜରିମାନା ଆଦାୟ କରାଯାଇଛି । ସିଟ୍ ବେଲ୍ଟ ନ ପିନ୍ଧି ୧୯ ହଜାର ୬୪୩ ଜଣ ୧ କୋଟି ୮୧ ଲକ୍ଷ ୯୧ ହଜାର ୧୦୦ ଟଙ୍କା ଜରିମାନା ଗଣିଛନ୍ତି । ରଙ୍ଗ ରୁଟରେ ଗାଡି ଚାଳନା ପାଇଁ ୧୮ ହଜାର ୬୨୫ ଜଣଙ୍କଠାରୁ ୮୬ ଲକ୍ଷ ୬୯ ହଜାର ୧୦୦ ଟଙ୍କା ଜରିମାନା ଆଦାୟ ହୋଇଛି। ମଦ ପିଇ ଗାଡି ଚଳାଇଥିବା ୫ ହଜାର ୬୨୮ ଜଣଙ୍କ ଠାରୁ ୨୮ ଲକ୍ଷ ୮ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି।

Exit mobile version