Site icon ଆଜିକାଲି

ପଞ୍ଚାୟତ ସମିତି ବୈଠକରେ ଅଧ୍ୟକ୍ଷା ଓ ଜିଲ୍ଲା ପରିଷଦ ସଭ୍ୟ ମୁହାଁ ମୁହିଁ


ନବରଙ୍ଗପୁର, ନିପ୍ର: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷା ରଶ୍ମିତା ମାଝୀଙ୍କ ନିର୍ଦେଶ କ୍ରମେ ମଙ୍ଗଳବାର ଦ୍ବିପହରରେ ପଞ୍ଚାୟତ ସମିତି ସଭାଗୃହରେ ପଞ୍ଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟସୂଚୀ ଅନୁସାରେ ସାଧାରଣ ବଣ୍ଟନ ବ୍ୟବସ୍ଥା , ଶିକ୍ଷା ,ସମାଜ କଲ୍ୟାଣ,କୃଷି,ଉଦ୍ୟାନ ଓ ପ୍ରାଣୀଧନ , ମହିଳା ଓ ଶିଶୁ ବିକାଶ , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ,ମୃତ୍ତିକା ସଂରକ୍ଷଣ , ମତ୍ସ୍ୟ ଚାଷ ,ଗ୍ରାମ୍ୟ ଉନ୍ନୟନ ,ଉଠା ଜଳ ସେଚନ/ କ୍ଷୁଦ୍ର ଜଳ ସେଚନ , ବିଦ୍ୟୁତିକରଣ ,ଶିଳ୍ପ ଓ କୃଷି ଶିଳ୍ପ , ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ , ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ବିସ୍ତୃତ ଆଲୋଚନା କରି ଏହି ସବୁ ବିଭାଗରେ ଥିବା ବିଭିନ୍ନ ସମସ୍ୟାର ସମାଧାନ କରି କିଭଳି ସମସ୍ତ କାର୍ଯ୍ୟ ଠିକ ଭାବେ ସମ୍ପାଦନ ହେବ ତାହା ପ୍ରତି ଗୁରୁତ୍ୱ ଦିଆଯାଇଥିଲା । ବୈଠକରେ ସାଂସଦ ରମେଶ ମାଝୀ, ବିଧାୟକ ସଦାଶିବ ପ୍ରଧାନୀ , ଅଧ୍ୟକ୍ଷା ରଶ୍ମିତା ମାଝୀ, ଉପାଧ୍ୟକ୍ଷ ସଦନ ଗୋୖଡ, ଜୋନ ୨ ର ଜିଲ୍ଲା ପରିଷଦ ସଭ୍ୟ ଅରୁଣ ମିଶ୍ର , ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ ଙ୍କ ସହ ସମସ୍ତ ବିଭାଗର ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିବା ବେଳେ ଜି.ପି.ଇ.ଓ ସଚିଦାନନ୍ଦ ତ୍ରିପାଠୀ ବୈଠକ ପରିଚାଳନା କରିଥିଲେ ।ବୈଠକ ଚାଲିଥିବା ସମୟରେ ଗ୍ରାଣ୍ଟ -ଇନ- ଏଇଡ଼ ରେ ସମିତି ସଭ୍ୟ/ ସଭ୍ୟାଙ୍କ ଦ୍ଵାରା ପ୍ରସ୍ତାବିତ ଏବଂ ଅଧ୍ୟକ୍ଷାଙ୍କ ଅନୁମୋଦିତ କାର୍ଯ୍ୟ ଖସଡ଼ା ଜିଲା ପରିଷଦ ସଭ୍ୟଙ୍କ ଅଜାଣତରେ କିଭଳି କାର୍ଯ୍ୟକାରୀ କରାଗଲା ବୋଲି ଜୋନ ୧ ର ଜିଲ୍ଲା ପରିଷଦ ସଭ୍ୟ ଦିବ୍ୟଦାନ ସୁନା ପ୍ରଶ୍ନ କରିବା ସହ ସବୁ କ୍ଷେତ୍ର ରେ ଜିଲ୍ଲା ପରିଷଦ ସଭ୍ୟଙ୍କୁ ଅଣଦେଖା କରାଯାଉଛି ବୋଲି କହିଥିଲେ। ପ୍ରତ୍ୟୁତ୍ତର ରେ ଅଧ୍ୟକ୍ଷା ଶ୍ରୀମତୀ ମାଝୀ ଗ୍ରାଣ୍ଟ -ଇନ- ଏଇଡ଼ରେ ଜିଲ୍ଲା ପରିଷଦ ସଭ୍ୟଙ୍କର କୌଣସି ଅଧିକାର ନାହିଁ ଏବଂ ଜିଲ୍ଲା ପରିଷଦ ମାନେ ଏମ.ଭି ଟ୍ୟାକ୍ସରେ ନିଜର କାର୍ଯ୍ୟ ଖସଡ଼ା ଦେଇପାରିବେ ବୋଲି କହିଥିଲେ । ଜିଲ୍ଲା ପରିଷଦ ସଭ୍ୟ ବୈଠକ ଆଗକୁ ବଢ଼ିବା ପାଇଁ ଦେବେ ନାହିଁ ବୋଲି ଧମକ ଦେଇ ବାକ ବଚସା କରିବା ଯୋଗୁଁ ଉତକ୍ଷିପ୍ତ ହୋଇ ବ୍ଲକ ଅଧ୍ୟକ୍ଷା ସଭା କାର୍ଯ୍ୟ ଛାଡି ଚାଲି ଯାଇଥିଲେ । ସମସ୍ତ ସମିତି ସଭ୍ୟ ସଭ୍ୟାଙ୍କ ଅନୁରୋଧ କ୍ରମେ ଅଧ୍ୟକ୍ଷା ଶ୍ରୀମତୀ ରଶ୍ମିତା ମାଝୀ ଆସି ସମସ୍ତ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ନିର୍ଦେଶ କ୍ରମେ କରାଯାଉଥିବା ବୈଠକ ରେ ବିଧାୟକ ଙ୍କ ଉପସ୍ଥିତିରେ ଜିଲ୍ଲା ପରିଷଦ ସଭ୍ୟ ବୈଠକ ଆଗେଇବାକୁ ନ ଦେବାର ଧମକକୁ ଶ୍ରୀମତୀ ମାଝୀ ଏବଂ ସମସ୍ତ ସମିତି ସଭ୍ୟ/ ସଭ୍ୟା ନାପସନ୍ଦ କରିବା ସହ ଜିଲ୍ଲା ପରିଷଦ ଶ୍ରୀ ସୁନା ଭିତ୍ତିହୀନ ଯୁକ୍ତି କରୁଛନ୍ତି ବୋଲି କହିଛନ୍ତି ।

Exit mobile version