Site icon ଆଜିକାଲି

ପଞ୍ଚୁକ ପାଇଁ ଧବଳେଶ୍ବରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ଶାନ୍ତି ଶୃଙ୍ଖଳାର ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା

ଆଠଗଡ଼ : ପବିତ୍ର ପଞ୍ଚୁକ ପାଇଁ ଚଳଚଞ୍ଚଳ ଆଠଗଡ଼ର ପ୍ରସିଦ୍ଧ ବାବା ଧବଳେଶ୍ବରଙ୍କ ପୀଠ। ବାବାଙ୍କ ଦର୍ଶନ ପାଇଁ ପୀଠରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ରାତ୍ର ୪ ଟାରୁ ପହଡ ଖୋଲିବା ପରେ ୧୦୮ କଳସ ଜଳରେ ବାବାଙ୍କୁ ସ୍ନାନ କରାଯାଇଥିଲା । ପୂଜାର୍ଚ୍ଚନା ସହ ମଙ୍ଗଳ ଆଳତୀ କରାଯାଇଥିଲା । ବାବାଙ୍କ ଖେଚୁଡ଼ି ଭୋଗ ଲାଗି ହେବା ପରେ ସାଧାରଣ ଦର୍ଶନ ପାଇଁ ଦ୍ଵାର ଫିଟା ଯାଇଥିଲା। ଶ୍ରଦ୍ଧାଳୁମାନେ କଂକ୍ରିଟ ସେତୁ ଉପରେ ଆସି ବାବା ଧବଳେଶ୍ୱରଙ୍କୁ ଦର୍ଶନ କରୁଛନ୍ତି। ପୂଜକ ସମିତି ଓ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁମାନେ କିପରି ଶାନ୍ତି ଶୃଙ୍ଖଳାର ଦର୍ଶନ କରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।

ସେପଟେ ଏନେଇ ଗତକାଲି ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ଏକ ସମୀକ୍ଷା ବୈଠକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ଅସୁସ୍ଥ ଶ୍ରଦ୍ଧାଳୁଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପଣ୍ଡା ଆହ୍ବାନ ଦେଇଛନ୍ତି। କଂକ୍ରିଟ ସେତୁ, ପ୍ରବେଶ ଓ ପ୍ରସ୍ଥାନ ପଥ, ଭୋଗ ମଣ୍ଡପ ସହିତ ପୀଠର ସବୁ ସ୍ଥାନରେ ୨୪ ଘଣ୍ଟିଆ ପୋଲିସ ମୁତୟନ ରହିବେ। ଭିଡ଼ ନିୟନ୍ତ୍ରଣ ନିମନ୍ତେ ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ୨ଜଣ ଡିଏସ୍‌ପି ଓ ୨ଜଣ ଇନ୍ସପେକ୍ଟର ନିୟୋଜିତ ହୋଇଛନ୍ତି। ସେହିପରି ଭିଡ଼କୁ ଦୃଷ୍ଟିରେ ରଖି ଭାରୀଯାନ ଚଳାଚଳ ଉପରେ ଆସନ୍ତାକାଲିଠାରୁ କଟକଣା କରାଯାଇଛି।

Exit mobile version