Site icon ଆଜିକାଲି

୧୭ରେ ଉଦ୍‌ଘାଟନ ହେବ ରାଜ୍ୟର ୩୦ ଜିଲାରେ ପେପରଲେସ୍ କୋର୍ଟ

କଟକ : ରାଜ୍ୟର ୩୦ଟି ଜିଲାରେ ପେପରଲେସ୍ କୋର୍ଟ ବ୍ୟବସ୍ଥା ହେବାକୁ ଯାଉଛି। ସବୁ ଜିଲାରେ ନିର୍ଦ୍ଦିଷ୍ଟ ଅଦାଲତ ପେପରଲେସ୍ ବ୍ୟବସ୍ଥାରେ କାର୍ଯ୍ୟ କରିବ। ଏହି ପେପରଲେସ୍ କୋର୍ଟ ବ୍ୟବସ୍ଥାକୁ ଆସନ୍ତା ୧୭ ତାରିଖ ଦିନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ସୂଚନା ଯେ, ହାଇକୋର୍ଟର ପ୍ରଥମ ପେପରଲେସ୍ କୋର୍ଟ ହେଉଛି ମୁଖ୍ୟବିଚାରପତିଙ୍କ କୋର୍ଟ। ଏହାକୁ ସୁପ୍ରିମକୋର୍ଟର ବିଚାରପତି ଡ. ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ ଗତ ୨୦୨୧ ସେପ୍ଟେମ୍ବର ୧୧ରେ ଉଦଘାଟନ କରିଥିଲେ। ପରବର୍ତ୍ତୀ ସମୟରେ ହାଇକୋର୍ଟର ଆଉ କେତେକ ଖଣ୍ଡପୀଠ ପେପରସେଲ୍ ହୋଇଛି। ପେପରଲେସ୍ ପରିବେଶ ଭିତରେ ନିର୍ଦ୍ଦେଶନାମା ଓ ରାୟ ତୁରନ୍ତ ଜିଲା ଅଦାଲତ ଗୁଡିକୁ ସୁରକ୍ଷିତ ଭାବେ ପଠାଇବା ପାଇଁ ଅର୍ଡର କମ୍ୟୁନିକେସନ୍ ପୋର୍ଟାଲ ୨୦୨୧, ଏପ୍ରିଲରେ ଆରମ୍ଭ କରାଯାଇଥିଲା। ଇ-ନୋଟିଫିକେସନ୍‌ ବ୍ୟବସ୍ଥା ଆରମ୍ଭ କରାଯାଇଥିବା ବେଳେ ଏହାଦ୍ବାରା ଆଉ ନୋଟିସର କପି ବଣ୍ଟନ କରିବାକୁ ପଡୁନି। ଇ-ଏନଏସରେ ‌ବିଜ୍ଞପ୍ତି ଅପଲୋଡ୍ କରାଯାଉଛି। ନିମ୍ନ ଅଦାଲତ ରେକର୍ଡ (ଏଲସିଆର) ତଲବ କରିବା ଅଭ୍ୟାସ ବନ୍ଦ କରାଯାଇ ଇ-ଏଲସିଆର ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏଥିପାଇଁ ଜିଲ୍ଲା ଅଦାଲତ ଗୁଡିକୁ ହାଇ ସ୍ପିଡ୍ ଏଡିଏଫ ସ୍କାନର ପ୍ରଦାନ କରାଯାଇଛି।

Exit mobile version