ପୁରୀ : ଅଣସର ସମୟରେ ଗର୍ଭଗୃହରେ ଦାରୁ ବିଗ୍ରହ ମାନଙ୍କ ବଦଳରେ ପଟିଦିଅଁଙ୍କୁ ପୂଜା କରାଯାଇ ଥାଏ । ବଳଭଦ୍ରଙ୍କ ପଟିଦିଅଁ ବାସୁଦେବ, ଦେବୀ ସୁଭଦ୍ରାଙ୍କର ପଟିଦିଅଁ ଭାବେ ଯାଜ୍ଞସେନୀ ବା ଭୁବନେଶ୍ୱରୀ ଓ ଜଗନ୍ନାଥଙ୍କ ପଟିଦିଅଁ ଭାବେ ନାରାୟଣ ପୂଜା ପାଇଥାନ୍ତି ।
ତେବେ ଦାରୁ ଦେବତାମାନେ ରତ୍ନ ସିଂହାସନରେ ଯେଉଁ ରୂପରେ ପୂଜା ପାଆନ୍ତି ପଟ୍ଟଚିତ୍ର ଗୁଡ଼ିକ ସେହି ଆକୃତିର ନୁହେଁ । କାଷ୍ଠ ନିର୍ମିତ ସୁଦୃଶ୍ୟ ଆସରେ ବସିଥିବା ପରି ଅଙ୍କିତ ହୋଇଥିବା ଚିତ୍ର ରେ ସମସ୍ତ ଦିଅଁ ଚତୁଃହସ୍ତ ଓ ଦୁଇପଦ ବିଶିଷ୍ଟ ହୋଇ ପଦ୍ମାସନରେ ବସିଥାଆନ୍ତି । ବଳଭଦ୍ରଙ୍କ କଳେବର ଶ୍ୱେତବର୍ଣ୍ଣରେ ଚିତ୍ରିତ ହେଇଥାଏ । ଚତୁଃହସ୍ତରେ ସେ ଧରିଥାଆନ୍ତି ଶଙ୍ଖ, ଚକ୍ର, ଗଦା ଓ ହଳ । ହରିଦ୍ର ବର୍ଣ୍ଣା ସୁଭଦ୍ରା ଦୁଇ ଉର୍ଦ୍ଧ୍ୱ ହସ୍ତରେ ପଦ୍ମ ଧରିଥାଆନ୍ତି ଓ ନିମ୍ନହସ୍ତ ଦୁଇଟି ଥାଏ ବରଦା ମୁଦ୍ରାରେ । କଳା ରଙ୍ଗରେ ଚିତ୍ରିତ ଜଗନ୍ନାଥ ଚାରି ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧରିଥାଆନ୍ତି । ସମସ୍ତ ଦେବତାଙ୍କ ପୃଷ୍ଠପଟ୍ଟ ଗାଢ଼ନାଲି ରଙ୍ଗ ହେଇଥାଏ ।
ଅଣସର ପଟି ତିନୋଟିକୁ ବଂଶାନୁକ୍ରମେ କେତେକ ଚିତ୍ରକର ଖୁବ ନିଷ୍ଠାର ସହିତ ପ୍ରସ୍ତୁତ କରିଥାଆନ୍ତି । ଚିତ୍ର କରିବା ସମୟତକ ସେମାନେ ନିରାମିଷା ଭକ୍ଷଣ କରନ୍ତି । କାମ ଚାଲିଥିବା କୋଠରୀକୁ ସ୍ତ୍ରୀ ଲୋକଙ୍କ ପ୍ରବେଶ ନିଷେଧ ଥାଏ । ଚିତ୍ରପାଇଁ ଧଳା ରଙ୍ଗ ଶଙ୍ଖରୁ ପ୍ରସ୍ତୁତ ହେଉଥିବା ବେଳେ, କଳା ରଙ୍ଗ ନିମନ୍ତେ ପୋଲାଙ୍ଗ ଦୀପର କଳା, ହିଙ୍ଗୁଳରୁ ନାଲି, ହରିତାଳରୁ ହଳଦିଆ ଓ ଖଣ୍ଡନୀଳରୁ ନୀଳ ରଙ୍ଗ ପ୍ରସ୍ତୁତ କରାଯାଇଥାଏ । ସ୍ନାନ ପୂର୍ଣ୍ଣିମା ଦିନ ଗଭୀର ରାତିରେ, ବାଇଦ ବାଜଣା ସହ ଚିତ୍ରକାର ମାନେ ଅଣସର ପଟ୍ଟିଗୁଡ଼ିକୁ ମନ୍ଦିରକୁ ଆଣନ୍ତି । ଆଷାଢ଼ ପ୍ରତିପଦାରୁ ଅମାବାସ୍ୟା ଯାଏଁ ଏକ ପକ୍ଷ ବ୍ୟାପି ଏହି ପଟି ଦେବତାଙ୍କ ଆଗରେ ଭୋଗ ବଢ଼ାଯାଏ ।
ଅଣସର ଘରେ ଠାକୁରମାନଙ୍କୁ ପଣା ଓ ଚକଟା ଭୋଗ ଆଦି କରାଯାଉଥିବା ବେଳେ ପଟିଦିଅଁଙ୍କୁ ଅନ୍ନଭୋଗ କରାଯାଇଥାଏ । ଗର୍ଭଗୃହ ସଂଲଗ୍ନ ଦକ୍ଷିଣ ଘରୁ ସେବାୟତମାନେ ସାତଗୋଟି ଚଳନ୍ତି ପ୍ରତିମା ଆଣି ଅଣସର ଘର ବାହାରପଟେ ପକା ଯାଇଥିବା ଗୋଟିଏ ଖଟଉପରେ ରଖନ୍ତି। ବଳଭଦ୍ରଙ୍କ ଆସ୍ଥାନ ସମୀପରେ ରାମ,ନୃସିଂହ ଓ ଦୋଳ ଗୋବିନ୍ଦଙ୍କ ବିଗ୍ରହ ରହେ, ସୁଭଦ୍ରାଙ୍କ ସମୀପରେ ରହିଥାନ୍ତି ଲକ୍ଷ୍ମୀ ଓ ସରସ୍ୱତୀଙ୍କ ବିଗ୍ରହ ଦ୍ୱୟ ଏବଂ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ରୁହନ୍ତି ମଦନମୋହନ ଓ କୃଷ୍ଣଙ୍କ ପ୍ରତିମୂର୍ତ୍ତି । ଏହି ସମୟରେ ଜଗନ୍ନାଥଙ୍କ ସ୍ଥାନରେ ଭକ୍ତମାନେ ବ୍ରହ୍ମଗିରିର ଅଲାରନାଥଙ୍କୁ ବିଷ୍ଣୁରୂପରେ ଦର୍ଶନ କରିଥାନ୍ତି ।