Site icon ଆଜିକାଲି

ଅଟେଇ ଜଙ୍ଗଲ ବୁଲିଲେ ପିସିସିଏଫ୍‌

କେନ୍ଦୁଝର, ରାଜ୍ୟ ବନ୍ୟପ୍ରାଣୀ ବିଭାଗ ମୁଖ୍ୟ ପିସିସିଏଫ୍‌ ସୁଶୀଲ କୁମାର ପୋପଲି ଆଜି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ର ଅଟେଇ ସଂରକ୍ଷିତ ଜଙ୍ଗଲ ପରିଦର୍ଶନ କରିଛନ୍ତି। ଅଟେଇ ଜଙ୍ଗଲରେ ଥିବା ମହାବଳ ବାଘର ଗିତିବିଧି ସମ୍ପର୍କରେ ଅନୁଧ୍ୟାନ କରିବା ସହ ଏହାର ସୁରକ୍ଷା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଅଟେଇ ସଂରକ୍ଷିତ ଜଙ୍ଗଲରେ ଫେବ୍ରୁଆରି ମାସରେ ମହାବଳ ବାଘର ଉପସ୍ଥିତି ସମ୍ପର୍କରେ ଜଣାପଡ଼ିଥିଲା। ଏହା ପରେ ବନ ବିଭାଗ ପକ୍ଷରୁ ବାଘର ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା। ଜଙ୍ଗଲକୁ ସାଧାରଣ ଲୋକଙ୍କୁ ଯିବାକୁ ବାରଣ କରାଯିବା ସହ ରାସ୍ତା ଗୁଡ଼ିକୁ ସିଲ୍‌ କରାଯାଇଥିଲା। ଜଙ୍ଗଲରେ ୫୫ଟି ଟ୍ରାପ୍‌ କ୍ୟାମେରା ଖଞ୍ଜାଯାଇ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍‌ ଦ୍ୱାରା ବାଘର ଗତିବିଧି ଉପରେ ନଜର ରଖାଯାଇଥିଲା। ଗତ ୩ ତାରିଖରେ ଅଟେଇ ଜଙ୍ଗଲର ବାଇଗଣପାଳ ବିଟ୍‌ ଅନ୍ତର୍ଗତ ତିନିନାଳିଆ ନିକଟରେ ଥିବା ପଥର ଖୋଲ ମହାବଳ ବାଘ ପାଇଁ ନିରାପଦ ସ୍ଥାନ ପାଲଟିଥିବା ଜଣାପଡ଼ିଥିଲା। ଏଠାରେ ଲାଗିଥିବା ଟ୍ରାପ୍‌ କ୍ୟାମେରାରେ ବାଘର ଫଟୋ ବାରମ୍ବାର କଏଦ ହୋଇଥିଲା। ଏ ସମ୍ପର୍କରେ ଜଣାପଡ଼ିବା ପରେ ପିସିସିଏଫ ସୁଶୀଲ କୁମାର ପୋପଲି ଆଜି ଘଟଗାଁ ଆସି ଅଟେଇ ସଂରକ୍ଷିତ ଜଙ୍ଗଲ ପରିଦର୍ଶନ କରିଛନ୍ତି। ଜଙ୍ଗଲରେ ଲାଗିଥିବା ଟ୍ରାପ କ୍ୟା‌ମେରା ଗୁଡ଼ିକର ଯାଞ୍ଚ କରିବା ସହ ବାଘ ରହୁଥିବା ବାଇଗଣପାଳ ବିଟ୍‌ର ତିନିନାଳିଆ, ତିନିଗୋଛିଆ, ବଡ଼ନାଳ, ମେଲାଣ ଅଞ୍ଚଳକୁ ବୁଲି ଦେଖିଛନ୍ତି। ଏଠାରେ ବନ୍ୟପ୍ରାଣୀଙ୍କ ପିଇବା ପାଇଁ ପାଣିର ଉତ୍ସ ଥିବାରୁ ଘାସଚାଷ କରିବାକୁ ପରାମର୍ଶ ଦେଇଛନ୍ତି। କ୍ଷେତ୍ର ପରିଦର୍ଶନ ପରେ ଶ୍ରୀ ପୋପଲି ସମୀକ୍ଷା ବୈଠକ କରିଥିଲେ। ବାଘ ନିରାପଦ ରହଣିକୁ ସୁନିଶ୍ଚିତ କରିବାପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜାଣି ସନ୍ତୋଷ ବ୍ୟକ୍ତ କରିଥିଲେ। ଆଗକୁ କ’ଣ ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ହାତୀ ସୁରକ୍ଷା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଉରକେଲାର ଆର୍‌ସିସିଏଫ୍‌ ଅରୁଣ କୁମାର ମିଶ୍ର, ବାରିପଦାର ଆର୍‌ସିସିଏଫ୍‌ ପ୍ରକାଶ ଚନ୍ଦ୍ର ଗୁଗନାନୀ, କେନ୍ଦୁଝର ଡିଏଫ୍‌ଓ ଏଚ୍‌ଡି ଧନରାଜ, ଆନନ୍ଦପୁର ବନ୍ୟପ୍ରାଣୀ ଡିଏଫ୍‌ଓ ଅଭୟ କୁମାର ଦଳାଇ, ଆଇପିଏସ୍‌ ଅମୃତପାଲ ସିଂହ, ପ୍ରଭାତ କୁମାର କୁଅଁର, କେନ୍ଦୁଝର ଏସିଏଫ୍‌ ଅଶୋକ କୁମାର ଦାଶ, ଘଟଗାଁ ଫରେଷ୍ଟର ଯତୀନ୍ଦ୍ର କୁମାର ସାହୁ, ଢେଙ୍କିକୋଟ ଫରେଷ୍ଟର ଚିତ୍ତରଞ୍ଜନ ପରିଡ଼‌େ, ଫରେଷ୍ଟ ଗାର୍ଡ ଶ୍ରବଣ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version