Site icon ଆଜିକାଲି

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଆକ୍ରମଣ ଯୋଜନା କରିଥିଲା ପିଏଫ୍ଆଇ


ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆକ୍ରମଣ କରିବା ପାଇଁ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ଷଡ଼ଯନ୍ତ୍ର କରିଥିଲା। ଜୁଲାଇ ୧୨ରେ ମୋଦୀଙ୍କ ପାଟନା ରାଲିରେ ବିସ୍ଫୋରଣ ପାଇଁ ପ୍ରସ୍ତୁତି ଚାଲିଥିଲା। ଏଥିପାଇଁ ପିଏଫ୍ଆଇର ଟେରର୍ ମଡ୍ୟୁଲ୍ ଘାତକ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ସଂଗ୍ରହ କରିବାରେ ଲାଗିଥିଲା | ଏପରିକି ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଲି ଉପରେ ଆକ୍ରମଣ ପାଇଁ ଏକ ତାଲିମ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏଭଳି ଚାଞ୍ଚଲ୍ୟକର ଦାବି କରିଛି | ଇଡି କହିଛି ଯେ ପିଏଫ୍ଆଇ ୟୁପିରେ ସମ୍ବେଦନଶୀଳ ସ୍ଥାନ ଏବଂ ସେଲିବ୍ରିଟିଙ୍କ ଉପରେ ମଧ୍ୟ ଆକ୍ରମଣ କରିବାକୁ ଯୋଜନା କରିଥିଲା ।

ବଡ଼ କଥା ହେଉଛି ଜୁଲାଇରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆର କିଛି ସଦସ୍ୟଙ୍କୁ ପାଟନାରୁ ଗିରଫ କରାଯାଇଥିଲା। ସେହି ସମୟରେ ସେମାନଙ୍କ ଠାରୁ ଜବତ ଦଲିଲଗୁଡ଼ିକ ମଧ୍ୟରେ ‘ଇଣ୍ଡିଆ ୨୦୪୭’ ନାମକ ଏକ ପିଏଫ୍ଆଇ ବୁକଲେଟ୍ ମଧ୍ୟ ରହିଥିଲା । ଯେଉଁଥିରେ ୨୦୪୭ ସୁଦ୍ଧା ଭାରତକୁ ଇସଲାମୀୟ ରାଷ୍ଟ୍ରରେ ପରିଣତ କରିବା ପାଇଁ ‘ଆତଙ୍କବାଦୀ ବ୍ଲୁ ପ୍ରିଣ୍ଟ’ ରହିଥିଲା। ସେହି ସମୟରେ ଏହା ମଧ୍ୟ ଜାଣିବାକୁ ମିଳିଥିଲା ଯେ ପିଏଫ୍ଆଇ ଏହାର ବିଭିନ୍ନ ଡିଜାଇନ୍ ପାଇଁ ବିଭିନ୍ନ ସ୍ଥାନରେ ତାଲିମ ଶିବିର ମଧ୍ୟ ଆୟୋଜନ କରୁଛି | ତେବେ ବିହାର ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ନଥିଲା। ପାଟନା ଏସଏସପି ମାନବଜିତ ସିଂ ଧିଲୋନ୍ ପିଏଫ୍ଆଇ ତାଲିମ ଶିବିରକୁ ଆରଏସ୍ଏସ୍ ସହିତ ତୁଳନା କରିଥିଲେ । ପରେ ଯେତେବେଳେ ତାଙ୍କର ଏହି ମନ୍ତବ୍ୟକୁ ନେଇ ବିବାଦ ବ ହୋଇଥିଲା, ସେ ସ୍ପଷ୍ଟୀକରଣ ଦେଇଥିଲେ।

କେରଳରୁ ଗୁରୁବାର ଗିରଫ ହୋଇଥିବା ପିଏଫଆଇ ସଦସ୍ୟ ଶାଫିକ୍ ପେୟଥଙ୍କ ରିମାଣ୍ଡ ନୋଟରେ ଇଡି ଏକ ଚାଞ୍ଚଲ୍ୟକର ଦାବି କରିଛି। ଏଜେନ୍ସି କହିଛି ଯେ ଚଳିତ ବର୍ଷ ଜୁଲାଇ ୧୨ରେ ପାଟନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲିରେ ଆକ୍ରମଣ ଉଦ୍ଦେଶ୍ୟରେ ପିଏଫଆଇ ତାଲିମ ଶିବିର ମଧ୍ୟ ଆୟୋଜନ କରିଥିଲା। ବଡ଼ କଥା ହେଲା ଅକ୍ଟୋବର ୨୦୧୩ରେ ପାଟଣାର ଗାନ୍ଧୀ ମଇଦାନରେ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନ ରାଲିରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଇଣ୍ଡିଆନ୍ ମୁଜାହିଦ୍ଦିନର ଆତଙ୍କବାଦୀମାନେ ଉକ୍ତ ରାଲିରେ ବିସ୍ଫୋରଣ କରିଥିଲେ।

ସମଗ୍ର ଦେଶରେ ଦଙ୍ଗା ଏବଂ ଆତଙ୍କବାଦୀ କାର୍ଯ୍ୟ ପାଇଁ ଗତ କିଛି ବର୍ଷ ମଧ୍ୟରେ ପିଏଫ୍ଆଇ ୧୨୦ କୋଟି ଟଙ୍କା ସଂଗ୍ରହ କରିଥିଲା । ଏହି ପାଣ୍ଠିର ଅଧିକାଂଶ ନଗଦ ଆକାରରେ ସଂଗ୍ରହ କରାଯାଇଥିଲା ବୋଲି ଇଡି କହିଛି। ଜାତୀୟ ଅନୁସନ୍ଧାନ ଏଜେନ୍ସି ଏନ୍ଆଇଏ ଏବଂ ଇଡି ଦ୍ୱାରା ପିଏଫଆଇ ବିରୋଧରେ ଗୁରୁବାର ହୋଇଥିବା ସବୁଠୁ ବଡ଼ ଅପରେସନ୍ ସମୟରେ ଏହି ସଂଗଠନ ସହ ଜଡିତ ୧୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିଲା। ୧୫ଟି ରାଜ୍ୟର ୯୩ଟି ସ୍ଥାନରେ ପିଏଫ୍ଆଇ କାର୍ଯ୍ୟାଳୟ ଏବଂ ସେମାନଙ୍କ ନେତାଙ୍କ ସ୍ଥାନରେ ରେଡ୍ ହୋଇଥିଲା।

Exit mobile version