Site icon ଆଜିକାଲି

ଯୌତୁକ ବିରୋଧରେ ନବବିବାହିତାଙ୍କ ବିଦ୍ରୋହ: ଶଙ୍ଖା, ସିନ୍ଦୂର ଓ ମଙ୍ଗଳସୂତ୍ର କାଢ଼ି ବରକୁ ଛାଡ଼ି ଫେରି ଆସିଲେ ବାପ ଘର

ଫୁଲବାଣୀ: ଶିକ୍ଷା ଓ ସ୍ବାଭିମାନର ସ୍ବର ଏତେ ତୀବ୍ର ହେଲା ଯେ ଚାରିଆଡ଼େ ଚର୍ଚ୍ଚା ପାଲଟିଗଲା। ଆଜିକାର ସମାଜର ଆଖି ଖୋଲିଦେବା ଭଳି ଘଟଣାଟିଏ ଘଟିଗଲା। କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍ ପାରିଗଡ଼ ପଞ୍ଚାୟତ ସାରୁପାଟା ଗାଁର ଏ ଘଟଣା। ବିବାହ ଠିକ୍ ପରଦିନ ଯେତେବେଳେ ବର ସମସ୍ତଙ୍କ ସାମନାରେ ମୋଟରସାଇକେଲଟିଏ ଯୌତୁକ ଆକାରରେ ଦାବି କଲା ସେତେବେଳେ ଗରିବ ଚାଷୀ ଘରର ଝିଅର ମନରେ ବିରୋଧ ଜାତ ହେଲା। ପୁଣି ବର ଘର ନିମନ୍ତ୍ରଣ ପାଇ ଆସିଥିବା କନ୍ୟା ଘର ଲୋକଙ୍କ ଆଗରେ ସେମାନଙ୍କ ଅମଯ୍ୟଦା କରି ମୋଟରସାଇକେଲ୍ ନଦେଲେ ଝିଅକୁ ଘରକୁ ଫେରାଇନିଅ ବୋଲି ଖୋଦ୍ ସ୍ବାମୀ ଯେତେବେଳେ କହିଲା ସେତେବେଳେ କଟୁ କଥା ଅସହ୍ୟ ହେଲା। ମୁଣ୍ଡରୁ ସିନ୍ଦୂର କାଢ଼ି, ବେକରୁ ମଙ୍ଗଳସୂତ୍ର ଏବଂ ହାତରୁ ଶଙ୍ଖା ଓ ଚୁଡ଼ି ଓହ୍ଲାଇ ଦେଇ ସ୍ବାମୀକୁ ତାଙ୍କ ଘରେ ହିଁ ଛାଡ଼ି ବାପା ଘରକୁ ଲେଉଟି ଆସିଲେ ନବବିବାହିତା ଦେବକୀ ଦିଗାଲ। ଯୌତୁକ ବିରୋଧରେ ଯୁକ୍ତ ଦୁଇ ପଢ଼ା ଯୁବତୀଙ୍କ ଏ ବଳିଷ୍ଠ ସ୍ବର ଚାରିଆଡ଼େ ଚର୍ଚ୍ଚିତ ହୋଇଛି।

ଦେବକୀଙ୍କ ପିତା ଆନ୍ଦୁରୁ ଦିଗାଲ ଜଣେ କ୍ଷୁଦ୍ର ଚାଷୀ। କୌଣସି ମତେ କଷ୍ଟେମଷ୍ଟେ ଯୋଗାଡ଼ କରି ନିଜ ଝିଅର ବିବାହ ଗତ ୯ ତାରିଖରେ ବାଲିଗୁଡ଼ା ବ୍ଲକ୍ ବରିକିଆ ଗାଁର ଅର୍ଜୁନ ଦିଗାଲଙ୍କ ସହ କରାଇଥିଲେ। ନିର୍ବନ୍ଧ ଢେର୍ ଆଗରୁ ହୋଇଥିଲେ ହେଁ ଝିଅକୁ ଯୌତୁକ ଦେବା ପାଇଁ ବିଭିନ୍ନ ସାମଗ୍ରୀ ଯୋଗାଡ଼ କରିବାକୁ ତାଙ୍କୁ ଦୁଇ ବର୍ଷ ଲାଗିଥିଲା। ତଥାପି ବିବାହ ପରେ ଗତ ୧୦ ତାରିଖରେ କନ୍ୟା ପକ୍ଷ ଲୋକଙ୍କ ସହ ସ୍ବାମୀ ଘରେ ପ୍ରଥମ କରି ପାଦ ଥାପିଥିଲେ ଦେବକୀ। ବର ଘରେ ଭୋଜିଭାତ ଚାଲିଥିଲା। ହେଲେ ସେଠାରେ ବର ଅର୍ଜୁନ କନ୍ୟା ପକ୍ଷ ଲୋକଙ୍କ ଆଗରେ ହଠାତ୍ ମୋଟରସାଇକେଲଟିଏ ଦିଅ ବୋଲି ଦାବି କରିଥିଲେ। କନ୍ୟା ପିତା ହଠାତ୍ ବାଇକ୍ ଦେବାକୁ ଅକ୍ଷମ ବୋଲି କହିଥିଲେ। ବାପା ଆନ୍ଦୁରୁ ବାଇକ୍ ପାଇଁ ଟଙ୍କା ଯୋଗାଡ଼ କରିବାକୁ କିଛି ମାସ ସମୟ ମାଗିଥିଲେ। ମାତ୍ର ଅର୍ଜୁନ ତାହାକୁ ଖାତିର ନକରି ଏବେ ବାଇକ୍ ଦରକାର, ନଚେତ୍ ତମ ଝିଅକୁ ନେଇଯାଅ ବୋଲି ଅତିଥିମାନଙ୍କ ଆଗରେ କଠୋର ଭାବେ କହିଥିଲା। ଯେଉଁଠି ପେଟପାଟଣା ପାଇଁ ବଡ଼ କଷ୍ଟ କରିବାକୁ ପଡୁଛି ସେଠି ବରର ହଠାତ୍ ଏଭଳି ଦାବି ଓ କନ୍ୟା ପକ୍ଷ ପ୍ରତି ଏଭଳି ଅସମ୍ମାନ ଦେଖି ସେଠି ଉପସ୍ଥିତ ନବବଧୂ ଦେବକୀ ହାତରୁ ଚୁଡ଼ି, ଶଙ୍ଖା ଓ ମଙ୍ଗଳସୂତ୍ର ଖୋଲି ଦେଇ ବାପା ଘର ଲୋକଙ୍କ ସହ ଗାଁକୁ ଫେରି ଆସିଥିଲେ।

ଦୁଇ ବର୍ଷ ପୂର୍ବେ ଉଭୟ ପରିବାର ଲୋକଙ୍କ ସହମତିରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ଅର୍ଜୁନ ମଧ୍ୟ ଯୁକ୍ତ ଦୁଇ ପଢ଼ିବା ସହ ବାପାଙ୍କ ସାଙ୍ଗରେ ମିଶି ଚାଷବାସ କରି ଆସୁଛନ୍ତି।ଦେବକୀ ଜଣେ ଅଭାବୀ ଘରର ଝିଅ ହୋଇଥିବା ସତ୍ତ୍ବେ ବର ଅର୍ଜୁନର ଏଭଳି ହଠାତ୍ ବିବାହ ଭୋଜି ବେଳେ ଯୌତୁକ ଦାବିକୁ ସେ ସହ୍ୟ କରି ନପାରି ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ପରିବାର ଲୋକେ କେତେ କଷ୍ଟ କରି ମୋ ବିବାହ କରିଥିଲେ, ହେଲେ ଶ୍ବଶୁର ଘର ଲୋକେ ପରିବାର ଲୋକଙ୍କୁ ଅପମାନ କରି ଘଉଡ଼ାଇ ଦେବାରୁ ମୋତେ ଭଲ ଲାଗିନଥିଲା। ବର ଘର ଲୋକେ କନ୍ୟା ପକ୍ଷକୁ କ୍ଷମା ମାଗିବା ସହ ସମ୍ମାନର ସହ ଗ୍ରହଣ କଲେ ଶ୍ବଶୁର ଘରକୁ ଯିବା ପାଇଁ ଚିନ୍ତା କରିବେ ବୋଲି ଦେବକୀ କହିଛନ୍ତି।

FacebookTwitterLinkedinWhatsapp
Exit mobile version