Site icon ଆଜିକାଲି

ଆଜିଠୁ +୨ ପରୀକ୍ଷା: ୧୧୪୫ କେନ୍ଦ୍ରରେ ୩.୫୮ ଲକ୍ଷ ପରୀକ୍ଷାର୍ଥୀ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ଥିଓରି ପରୀକ୍ଷା ଆଜି(ବୁଧବାର)ଠାରୁ ଆରମ୍ଭ ହେବ। ୧୯ଟି ସିଟିଂରେ ଏପ୍ରିଲ ୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷାରେ ୩ଲକ୍ଷ ୫୭ ହଜାର ୯୪୨ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। କଳା ବିଭାଗରେ ୨ଲକ୍ଷ ୩୩ହଜାର ୮୫୫ ପରୀକ୍ଷାର୍ଥୀ ରହିଥିବା ବେଳେ ବିଜ୍ଞାନରେ ୯୩ହଜାର ୮୯୪, ବାଣିଜ୍ୟରେ ୨୪ହଜାର ୩୩୧ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ୫୮୬୨ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରୁ ରେଗୁଲାରରେ ୩ଲକ୍ଷ ୩୮ ହଜାର ୨୨୧ଜଣ, ଏକ୍ସ-ରେଗୁଲାରରେ ୧୭ ହଜାର ୬୯୬ ଓ ଦୂର ନିରନ୍ତରରେ ୨୦୨୫ଜଣ ପରୀକ୍ଷାର୍ଥୀ ଅଛନ୍ତି। ପରୀକ୍ଷା ଲାଗି ୨୦୨ଟି ପରୀକ୍ଷା ପରିଚାଳନା ହବ୍‌ ଅଧୀନରେ ୧୧୪୫ଟି ପରୀକ୍ଷା କେନ୍ଦ୍ର ହୋଇଛି। ସେଥିରେ ୬ଟି ଉପ-ପରୀକ୍ଷା କେନ୍ଦ୍ର ରହିଛି। ୪୪୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଯୁକ୍ତ୨ କଲେଜକୁ ବିଭିନ୍ନ ପରୀକ୍ଷା କେନ୍ଦ୍ର ସହ ଟ୍ୟାଗ୍‌ କରାଯାଇଛି। ମୋଟ ୧୫୯୦ କଲେଜର ୧ଲକ୍ଷ ୭୩ହଜାର ୫୩୪ ଛାତ୍ର ଓ ୧ ଲକ୍ଷ ୮୪ହଜାର ୪୦୮ଜଣ ଛାତ୍ରୀ ପରୀକ୍ଷାରେ ଦେବା ଲାଗି ଫର୍ମ ପୂରଣ କରିଛନ୍ତି।

ପ୍ରତିଦିନ ପୂର୍ବାହ୍ଣ ୧୦ଟାରୁ ପରୀକ୍ଷା ଆରମ୍ଭ ହେବ। ପ୍ରଥମ ଦିନ ବିଜ୍ଞାନ ବିଭାଗର ଏମ୍‌ଆଇଏଲ୍‌(ଓଡ଼ିଆ) ପରୀକ୍ଷା ରହିଛି। ଧା‌ର୍ଯ୍ୟ ସମୟର ୩୦ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ର ଭିତରକୁ ପ୍ରବେଶ କରିବେ। ୧୫ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀ ନିଜ ସିଟ୍‌ରେ ବସିବେ। ପରୀକ୍ଷାର ୧୫ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଉତ୍ତରଖାତା ଏବଂ ୫ ମିନିଟ୍‌ ପୂର୍ବରୁ ପ୍ରଶ୍ନପତ୍ର ବଣ୍ଟନ କରାଯିବ। ଠିକ୍‌ ୧୦ଟା ବେଳେ ପରୀକ୍ଷାର୍ଥୀଙ୍କୁ ଉତ୍ତର ଖାତାରେ ଲେଖିବାକୁ ଅନୁମତି ମିଳିବ। ରେଗୁଲାର ଛାତ୍ରଛାତ୍ରୀ ଶତପ୍ରତିଶତ ସିଲାବସ୍‌ ଅନୁଯାୟୀ ପରୀକ୍ଷା ଦେବେ। ଯେତେବେଳେ କି ଏକ୍ସ-ରେଗୁଲାର ତଥା ୨୦୨୦ ସୁଦ୍ଧା ପଞ୍ଜୀକରଣ କରିଥିବା ପରୀକ୍ଷାର୍ଥୀ ସଂକ୍ଷିପ୍ତ ସିଲାବସ୍‌ରେ ପରୀକ୍ଷା ଦେବେ।

ପରୀକ୍ଷା ସୁପରିଚାଳନା ଲାଗି ସମସ୍ତ ୧୧୪୫ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବା ସହ ୪ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟସ୍ତରରେ ଗଣଶିକ୍ଷା ବିଭାଗ ଓ ପରିଷଦ ଅଧିକାରୀମାନଙ୍କୁ ନେଇ ସ୍କ୍ବାଡ୍‌ ଗଠନ ହୋଇଛି। ପରିଷଦ ପକ୍ଷରୁ ଜୋନ୍‌ସ୍ତରରେ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରରେ ସ୍କ୍ବାଡ୍‌ରେ ଅଧ୍ୟାପକମାନେ ସାମିଲ ହୋଇଛନ୍ତି। ପ୍ରତି ହବ୍‌ରେ ଅଧ୍ୟାପକମାନଙ୍କୁ ନେଇ ଗୋଟିଏ ପ୍ୟାନେଲ୍‌ ଗଠନ କରାଯାଇଛି, ଯେଉଁମାନେ କି ଅବଜରଭର୍‌ ଭାବେ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ନେଇ ଯିବେ ଏବଂ ସେଠାରେ ପରୀକ୍ଷା ପରିଚାଳନାର ତଦାରଖ କରିବେ। ପରୀକ୍ଷା ଦିନ ସକାଳ ସାଢ଼େ ୮ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ଯେପରି ପ୍ରଶ୍ନପତ୍ର ପହଞ୍ଚିବ, ସେ ଦିଗରେ ହବ୍‌ ସୁପରଭାଇଜର ଗୁରୁତ୍ବ ଦେବେ। ପରିଷଦ କିମ୍ବା ପରୀକ୍ଷା ପରିଚାଳନା ହବ୍‌(ଇଏମ୍‌ଏଚ୍‌)ସ୍ତରରେ ପ୍ରଶ୍ନପତ୍ର ପ୍ୟାକେଟ୍‌ ଖୋଲାଯାଇପାରିବ ନାହିଁ। ପରୀକ୍ଷା କେନ୍ଦ୍ରଗୁଡ଼ିକୁ କିଭଳି ପ୍ରଶ୍ନପତ୍ର ଯିବ, ସୁପରଭାଇଜରମାନେ ରୁଟ୍‌ଚାର୍ଟ ପ୍ରସ୍ତୁତ କରିବେ। ହବ୍‌ ସୁପରଭାଇଜରଙ୍କ ଉପସ୍ଥିତିରେ ସିସିଟିଭି ଲାଗିଥିବା ସ୍ଥାନରେ ପରୀକ୍ଷା କେନ୍ଦ୍ର ସୁପରିନ୍‌ଣ୍ଟେଣ୍ଡେଣ୍ଟ ଓ ଅନ୍ୟାନ୍ୟ ଅଧ୍ୟାପକଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ଖୋଲାଯିବ। ପରୀକ୍ଷା କେନ୍ଦ୍ର ମଧ୍ୟକୁ କୌଣସି ପ୍ରକାର ବୈଦ୍ୟୁତିକ ସାମଗ୍ରୀ ପ୍ରବେଶ ଅନୁମତି ଦିଆଯିବ ନାହିଁ। ପ୍ରବେଶ ପଥରେ ଅଧ୍ୟାପକ ଅଧ୍ୟାପିକାମାନେ ପରୀକ୍ଷାର୍ଥୀଙ୍କୁ ଯାଞ୍ଚ କରିବାକୁ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Exit mobile version