Site icon ଆଜିକାଲି

ରାତି ପାହିଲେ +୨ ପରୀକ୍ଷା ; ଅଧ୍ୟାପକଙ୍କ ବର୍ଜନ ନିଷ୍ପତ୍ତି

ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ବାରା ପରିଚାଳିତ ଯୁକ୍ତ୨ ଥିଓରୀ ପରୀକ୍ଷା ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପରୀକ୍ଷା କେନ୍ଦ୍ରରେ ସିସିଟିଭି ମଧ୍ୟ ଲାଗିସାରିଛି। ଏପରିକି ପ୍ରଶ୍ନପତ୍ର ବି ହବରେ ପହଞ୍ଚିସାରିଛି। ମାତ୍ର ପରୀକ୍ଷା ପରିଚାଳନା କେମିତି ହେବ; ତାହାକୁ‌ ନେଇ ଏବେ ପ୍ରଶ୍ନ ଉଠୁଛି। ପରୀକ୍ଷାକୁ ଆଉମାତ୍ର ଗୋଟିଏ ଦିନ ଥିବାବେଳେ ପରୀକ୍ଷାବର୍ଜନ କରିବାକୁ ନିଷ୍ପତ୍ତି ନେଇଛି ୪ ଦଫା ଦାବିରେ ଆନ୍ଦୋଳନ କରୁଥିବା ୬୬୨ ବର୍ଗ କଲେଜ ସଂଘ। ଏହି ବର୍ଗର କଲେଜରେ ପ୍ରାୟ ଦେଢ଼ଲକ୍ଷରୁ ଊର୍ଦ୍ଧ୍ବ ପିଲା ପରୀକ୍ଷା ଦେବେ। ସଂଘ ପରୀକ୍ଷା ବର୍ଜନ ନିଷ୍ପତ୍ତି ନେଇଥିବାବେଳେ କିପରି ପରୀକ୍ଷା ପରିଚାଳନା କରାଯିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଦାବି ହାସଲ ପାଇଁ ଆଜି ପୁଣିଥରେ ଗର୍ଜିଛନ୍ତି ୬୬୨ ବର୍ଗ କଲେଜ ସଂଘର ଅଧ୍ୟାପକ ଓ କର୍ମଚାରୀ। ସମାନ ଗ୍ରେଡ-ପେ’କୁ ସମାନ ଦରମା ବୃଦ୍ଧି, ସମସ୍ତ କର୍ମଚାରୀଙ୍କୁ ଗ୍ରାଚ୍ୟୁଇଟି ଦେବା ଓ ପେନସନ୍ ପରିସରଭୁକ୍ତ କରିବା, ୨୦୧୮ ଜି.ଓରେ ଅନ୍ତର୍ଭୁକ୍ତ କର୍ମଚାରୀଙ୍କୁ ୭ମ ବେତନ କମିସନ ଦେବା, ଅନୁଦାନରୁ ବାଦ୍ ପଡ଼ିଥିବା କର୍ମଚାରୀଙ୍କୁ ଅନୁଦାନ ପରିସରଭୁକ୍ତ କରିବା ଦାବି ନେଇ ସଂଘ ଗତ ୧୩ ତାରିଖରୁ ଅହୋରାତ୍ର ଆନ୍ଦୋଳନ କରୁଛି। ଏହା ମଧ୍ୟରେ ଦୁଇ ଦୁଇଟି ମହାସମାବେଶ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନି। ଆଜି ପୁଣିଥରେ ସଂଘ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା। ସରକାର ଆଲୋଚନାକୁ ନ ଡାକିଲେ ପରୀକ୍ଷା ବର୍ଜନ କରାଯିବ ବୋଲି ସଂଘ ଚେତାଇ ଦେଇଛି। ଅନ୍ୟପକ୍ଷରେ +୨ ପରୀକ୍ଷା ପରିଚାଳନାରେ ସହଯୋଗ କରିବାକୁ ସଂଘକୁ ନିବେଦନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେ କହିଛନ୍ତି, ଦାବି ହାସଲ ପାଇଁ ଆନ୍ଦୋଳନ କରିବା ଭିନ୍ନ କଥା କିନ୍ତୁ ପିଲାଙ୍କ ସ୍ବାର୍ଥ ହେଉଛି ସବୁଠୁ ଗୁରୁତ୍ବପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ପରୀକ୍ଷା ପରିଚାଳନାରେ ସହଯୋଗ କରିବା ଦରକାର। ପରୀକ୍ଷାକୁ ସଠିକ୍ ଭାବେ ପରିଚାଳନା କରିବା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ପୂର୍ବବର୍ଷ ଭଳି କରାଯାଇଛି। ପରୀକ୍ଷାକେନ୍ଦ୍ରରେ ସିସିଟିଭି ଲଗାଯାଇଛି। ଆମେ ଆଶାବାଦୀ ଅଛୁ ପରୀକ୍ଷାରେ ସମସ୍ତେ ସହଯୋଗ କରିବେ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ଆଜିର ବିଶାଳ ସମାବେଶ ପରେ ସଂଘକୁ ସରକାରଙ୍କ ସହ ଆଲୋଚନା ପାଇଁ ଡକାଯାଇଛି। ମଙ୍ଗଳବାର ପୂର୍ବାହ୍ନରେ ସରକାରଙ୍କ ସହ ୬୬୨ କଲେଜ ସଂଘର ଆଲୋଚନା ହେବ। ଏହାପରେ ଯାହା ନିଷ୍ପତ୍ତି ନିଆଯିବ ବୋଲି ସଂଘ ତରଫରୁ ସଭାପତି ଗୋଲକ ନାୟକ, ଦୁଇ ସାଧାରଣ ସମ୍ପାଦକ ସତାପଉଦ୍ଦିନ୍ ଅହମ୍ମଦ, ଡ. ଗଗନ ବେଉରା, ଡ. ତପନ ଜେନା ପ୍ରମୁଖ ଜଣାଇଛନ୍ତି। ଏହି ସମାବେଶରେ ଆପ୍ ଓଡ଼ିଶା ମୁଖ୍ୟ ନିଶିକାନ୍ତ ମହାପାତ୍ର, ସାମାଜିକ କର୍ମୀ ପ୍ରଦୀପ୍ତ ନାୟକ, ଶିକ୍ଷାବିତ୍ କମଳାକାନ୍ତ ମହାପାତ୍ର, ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟ, ବିଶିଷ୍ଟ ସାମ୍ବାଦିକ ସତ୍ୟପ୍ରକାଶ ନାୟକ, ସରକାରୀ କଲେଜ ଅଧ୍ୟାପକ ସଂଘର ସାଧାରଣ ସଂପାଦକ ଦେବାଶିଷ ମହାନ୍ତି ପ୍ରମୁଖ ଯୋଗଦେଇ ସରକାର ଏହି ସମସ୍ୟାର ଶୀଘ୍ର ସମାଧାନ କରନ୍ତୁ ବୋଲି ଦାବି କରିଥିଲେ।

Exit mobile version