Site icon ଆଜିକାଲି

ବନ କର୍ମଚାରୀଙ୍କ ବିଷପିଇ ମୃତ୍ୟୁ ଘଟଣା; ରେଞ୍ଜରଙ୍କ ସମେତ ୩ ବନ କର୍ମଚାରୀଙ୍କ ବିରୋଧରେ ଏତଲା ଦେଲେ ପତ୍ନୀ

ଯଶିପୁର : ଯଶିପୁର ଥାନା ଅନ୍ତର୍ଗତ ଶିମିଳିପାଳ ଅଭୟାରଣ୍ୟର ଜେନାବିଲ ରେଞ୍ଜରେ ହାତୀପୋଡ଼ିକୁ ନେଇ ବନ କର୍ମଚାରୀଙ୍କ ବିଷପିଇ ମୃତ୍ୟୁ ଘଟଣା । ଘଟଣାକୁ ନେଇ ହତ୍ୟା ଅଭିଯୋଗ ଆଣିଲେ ମୃତ ବନ କର୍ମଚାରୀଙ୍କ ପତ୍ନୀ । ମୃତ ତୁରାମ ପୂର୍ତ୍ତିଙ୍କ ପତ୍ନୀ ଝିଲମ ଯଶୀପୁର ଥାନାରେ ଅଭିଯୋଗ କରିଛନ୍ତି । ମାଡ଼ ମାରି ଜୋରଜବରଦସ୍ତ ବିଷ ପିଆଇଥିବା ନେଇ ଥାନାରେ ଲିଖିତ ଏତଲା ଦେଇଛନ୍ତି ପତ୍ନୀ ।

ଅଭିଯୋଗ ଅନୁସାରେ, ବିଭାଗୀୟ ଉଚ୍ଚ କର୍ମଚାରୀଙ୍କ ତାଡ଼ନା ଓ ଭୟର ଶିକାର ହୋଇ ମାନସିକ ନିର୍ଯାତନା ଭୋଗୁଥିବା ତୁରାମଙ୍କୁ ସମ୍ପୃକ୍ତ କର୍ମଚାରୀମାନେ ବିଷ ପିଆଇ ଦେବାରୁ ସେ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଯଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ତା ପରେ କରଞ୍ଜିଆ ଡାକ୍ତରଖାନାରେ ନେଇ ଭର୍ତି କରାଯାଇଥିଲା। ମାତ୍ର ସେଠାରେ ଅବସ୍ଥା ଜଟିଳ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲରେ ନେଇ ଭର୍ତି କରାଯାଇଥିଲା ବେଳେ ସେଠାରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ସେହିପରି ସ୍ୱାମୀଙ୍କ ମୃତ୍ୟୁ ପାଇଁ ଜେନାବିଲ ରେଞ୍ଜର ଶିବଶଙ୍କର ସାମଲଙ୍କ ସମେତ ଅନ୍ୟ ୨ ବନ କର୍ମଚାରୀ ଦାୟୀ। ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ପାଇଁ ଶ୍ରୀମତୀ ପୁର୍ତ୍ତୀ ଦାବି କରିଛନ୍ତି। ଏତଲାକୁ ଭିତ୍ତି କରି ଥାନାରେ ଏକ ମାମଲା (ନଂ. ୩୨୦/୨୨) ରୁଜ୍ଜୁ ହୋଇଥିବା ଜଣାପଡିଛି। ଥାନାର ସବଇନ୍ସପେକ୍ଟର ହେମାମାଳିନୀ ସ୍ଵାଇଁ ତଦନ୍ତକାରୀ ଅଧିକାରୀ ଭାବେ ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି।

Exit mobile version