Site icon ଆଜିକାଲି

ପୁଲିସ୍ ଗାଡି-ଆମ୍ବୁଲାନ୍ସ ଧକ୍କା : ହୋମଗାର୍ଡ ମୃତ, ୪ ଗୁରୁତର

ମୟୁରଭଞ୍ଜ: ମୟୁରଭଞ୍ଜ ଉଦଳା ବାରିପଦା ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସୋମବାର ବିଳମ୍ବିତ ରାତିରେ ଏକ ପୁଲିସ୍ ଭ୍ୟାନକୁ ୧୦୮ ଆମ୍ବୁୁଲାନ୍ସ ଧକ୍କା ଦେଇଛି। ଏଥିରେ ଜଣେ ହୋମଗାର୍ଡଙ୍କର ମୃତ୍ୟୁ ଘଟିଛି। ଆଇଆଇସିଙ୍କ ସମେତ ୪ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି। 

ଗତ ରାତିରେ ଉଦଳା ଥାନା ପୁଲିସ୍‌ ଗାଡ଼ି ପାଟ୍ରୋଲିଂରେ ବାହାରିଥିଲା। ଉକ୍ତ ଗାଡ଼ିରେ ଆଇଆଇସିଙ୍କ ସମେତ ଅନ୍ୟ କର୍ମଚାରୀ ଥିଲେ। ଗାଡ଼ିଟି ଉଦଳା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ସାମ୍ନାରେ ଛିଡ଼ା ହୋଇଥିଲା। ଉକ୍ତ ସମୟରେ ରୋଗୀ ଛାଡ଼ି ଉଦଳା ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଏକ ୧୦୮ ଆମ୍ବୁଲାନ୍ସ ପୁଲିସ୍‌ ଭ୍ୟାନ୍‌କୁ ଜୋରରେ ଧକ୍କା ଦେଇଥିଲା। ଧକ୍କା ଏତେ ଜୋର ଥିଲା ଯେ ପୁଲିସ୍‌ ଗାଡ଼ିଟି ପ୍ରାୟ ୩ ଥର ଓଲଟି ପଡ଼ିଥିଲା। ଆଉ ତାହା ତଳେ କର୍ମଚାରୀମାନେ ଚାପି ହୋଇ ରହି ଯାଇଥିଲେ। ଖବର ପାଇ ତୁରନ୍ତ ଉଦଳା ଥାନା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡ଼ି ଭିତରୁ ସମସ୍ତଙ୍କୁ ବାହାର କରିଥିଲେ। ସମସ୍ତଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତୁରନ୍ତ ସେମାନଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଜଣେ ହୋମଗାର୍ଡ଼ଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁର୍ଘଟଣାରେ ଉଦଳା ଥାନା ଆଇଆଇସି, ଭ୍ୟାନ୍‌ ଡ୍ରାଇଭର ସମେତ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ଓ ହେଲପରଙ୍କ ଅବସ୍ଥା ବି ଗୁରୁତର ରହିଛି। ଆଇଆଇସି ଓ ଡ୍ରାଇଭରଙ୍କ ଅବସ୍ଥା ସାଂଘାତିକ ହେବାରୁ ଉଭୟଙ୍କୁ ବାରିପଦା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଉଦଳା ପୁଲିସ ଏହି ଦୁର୍ଘଟଣାରେ ତଦନ୍ତ ଆରମ୍ଭ କରିଛି ।

Exit mobile version